କ୍ରାନ୍ତିକ୍ଷେତ୍ର ନ୍ୟୁଜ୍/ଥୁଆମୂଳ ରାମପୁର, (ପ୍ରଦିପ ପଣ୍ଡା) : ଦୁଇଦିନ ଧରି ଚାଲିଥିବା ଅଲ୍ କଳାହାଣ୍ଡି ଓପନ୍ କ୍ୟାରମ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ପାଣି ଗାଁର ଓଆସିସ୍ କ୍ଲବ ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଆନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ପ୍ରତିଯୋଗିତା ଖେଳାଯାଇଥିଲା।
ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ତଥା ବରିଷ୍ଠ କ୍ରୀଡାବିତ ପ୍ରଭାତ ବ୍ରହ୍ମା ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମ ବେହେରା, ଅମୂଲ୍ୟ ମୁଣ୍ଡ,ଭୂପେନ୍ ପଣ୍ଡା ଏବଂ ଅରକ୍ଷିତ ବେହେରା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କ୍ଷୀରୋଦ ଚନ୍ଦ୍ର ମୁଣ୍ଡ ମୁଖ୍ୟ ପରିଚାଳକ ଭାବେ ଯୋଗଦେଇ ପ୍ରତିଯୋଗିତାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଶରତଚନ୍ଦ୍ର ମୁଣ୍ଡ ଉପସ୍ଥିତ ସମ୍ମାନିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ସିଙ୍ଗଲ ବିଭାଗରେ ମୋଟ ୩୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଏମାନଙ୍କ ମଧ୍ୟରୁ ସମ୍ପଦ କୁମାର ମୁଣ୍ଡ ବିଜୟ ହୋଇଥିବା ବେଳେ ରୁପମ୍ ମାଝୀ ଉପବିଜେତା ଭାବେ କୃତିତ୍ୱ ହାସଲ କରିଛନ୍ତି।ସେହିପରି ଡବଲ୍ ବିଭାଗରେ ମୋଟ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଅବଦୁଲ ଆର୍ ଖାଁ ଏବଂ ସୌମ୍ୟ ରଞ୍ଜନ ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ଉପ ବିଜେତା ହୋଇଥିଲେ ମୁକେଶ ବଗର୍ତି ଏବଂ ଏନ୍ ଉତ୍ତମ ରାଓ। ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ କୁନାଲ ବେହେରା ଯୋଗଦେଇ ବିଜେତା ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ।ଚଳିତ ବର୍ଷ ଭଳି ଆଗକୁ ପ୍ରତିବର୍ଷ କିପରି ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ସେନେଇ ଆଲୋଚନା ହୋଇଥିଲା।ଆୟୋଜକ ଅନୁଷ୍ଠାନର ପ୍ରମୁଖ ସଦସ୍ୟ ଶ୍ରୀପତୀ ବେହେରା ଉଦଯାପନୀ ଉତ୍ସବର ମଞ୍ଚ ପରିଚାଳନା କରିଥିବାବେଳେ ସୁଶାନ୍ତ ବେହେରା, ବିଶେଶ୍ବର ମୁଣ୍ଡ ଟୁର୍ଣ୍ଣାମେଣ୍ଟ ରେ ସହଯୋଗ କରିଥିଲେ।