କ୍ଷୁଦ୍ର ଜଳ ସେଚନ ବିଭାଗର ବିଚିତ୍ର ନୀତି

  • ବିନା ଜଳ ସେଚନ ରେ -ଚାଷୀ ଗଣୁଛି ଜଳ କର
  • ପଙ୍କ ଉଦ୍ଧାର ,ମରାମତି କାମ କୁ ଅନେଇଛି ଡ୍ୟାମ
  • ଚାଷୀ ଙ୍କ ଭିତରେ ଅସନ୍ତୋଷ-ଉତ୍ତେଜନା

କ୍ରାନ୍ତିକ୍ଷେତ୍ର/ଧର୍ମଗଡ଼,(ସୁବାଷ ବାଗ) : ଖଜୁରୀ ଗଛ ର କି ଗୁଣ ଗାଇବି ମୂଳ ରୁ ପାହାଚ ପାହାଚ -ଏହି ପନ୍ଥିର ସମାନତା ଭିତରେ ଛନ୍ଦି ହୋଇ ପଡିଛି ଧର୍ମଗଡ଼ କ୍ଷୁଦ୍ର ଜଳ ସେଚନ ବିଭାଗ। ଦୁର୍ନୀତି ଓ ଅବହେଳା ଭିତରେ ଡୁବି ରହିଥିବା ନେଇ ଚର୍ଚ୍ଚାରେ ରହିଆସିଛି ବିଭାଗ। ବିଭାଗ ତତ୍ୱବାଧାନ ରେ ଧର୍ମଗଡ଼ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଡ୍ୟାମ, ଆଡ଼ି ବନ୍ଦ, ଚେକ ଡ୍ୟାମ ଆଦି ନିର୍ମାଣ ହୋଇଛି ସତ ହେଲେ କୌଣସି କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। ବିଶେଷ ଭାବେ ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳର ନାଇ ନାଳ ଠାରେ ଗଢି ଉଠିଥିବା ଶହ ଶହ ଆଡ଼ି ବନ୍ଦ, ଚେକ ଡ୍ୟାମ। ହେଲେ ମୂଳଉଦେଶ୍ୟ ଠାରୁ ଦୂରେଇ ରହିଛି। ଏପଟେ କାମ କୁ ଆସୁ ନ ଥିବା ନେଇ ଚାଷୀଙ୍କ ଭିତରେ ଉଦବେଗ ପ୍ରକାଶ ପାଉଥିବାବେଳେ ଉତ୍ତେଜନା ଦେଖା ଦେଇଛି।ସିଧାସଳଖ ଭାବେ ବିଭାଗର ଅବହେଳାକୁ ନେଇ ଚାଷୀ ଏବେ ପ୍ରଶ୍ନ ଉଠାଇଛି। ଏପରିକି ନିର୍ମାଣ ଆଳରେ ଠିକଦାର ଓ ବିଭାଗର ସୁନା ଅଣ୍ଡା ଦିଆ କୁକୁଡ଼ାରେ ପରିଣତ ହୋଇଥିବା ଆଲୋଚନା ହେଉଛି। କୋଟି କୋଟି ସରକାରୀ ଅର୍ଥ କାମ କୁ ନ ଆସି ଖତ ଗଦାରେ ପରିଣତ ହୋଇଥିବା କୁହାଯାଉଛି। ଏବେ ପୁଣି ବିଭାଗ ନା ରେ ସାଂଘାତିକ ଅଭିଯୋଗ ଉଠାଇଛନ୍ତି ଚାଷୀ।ଧର୍ମଗଡ଼ ବ୍ଲକ ଟେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗ୍ରାମର ଶତାଧିକ ଚାଷୀ ଓ ପାଣି ପଞ୍ଚାୟତ କମିଟି ଡ୍ୟାମ ରୁ ଜଳ ସେଚନ ବ୍ୟବସ୍ଥା ହେଉ ନ ଥିଲେ ମଧ୍ୟ ଜଳକର ଦେଇ ଆସୁ ଥିବା ଅଭିଯୋଗ କରିଛନ୍ତି। ବର୍ଷେ ନୁହେଁ କି ଦ୍ଵିବର୍ଷ ନୁହେ ଦୀର୍ଘ ୧୫ବର୍ଷ ରୁ ବିନା ଜଳ ସେଚନରେ ଜଳକର ଦେଇ ଆସୁଥିବା ଖୁଦ ପାଣି ପଞ୍ଚାୟତ କମିଟି ଓ ଗ୍ରାମର ଚାଷୀ ଅଭିଯୋଗ ଉଠାଇଛି। ଦୀର୍ଘ ବର୍ଷ ତଳେ ଗାଁ ର ଚାଷୀଙ୍କ ଜମିରେ ଜଳ ସେଚନ ବ୍ୟବସ୍ଥା ପାଇଁ  ଧର୍ମଗଡ଼ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ଵାରା ଡ୍ୟାମ ନିର୍ମାଣ ହୋଇଛି। ଗାଁ ର ପ୍ରାୟ ୧୫୦-୨୦୦ ଏକର ଜମିରେ ଜଳ ସେଚନ ବ୍ୟବସ୍ଥା ନେଇ ନିର୍ମାଣ ହୋଇଥିବାବେଳେ ଶତାଧିକ ଚାଷୀ ଉପକୃତ ହେବା ଆଶା କରାଯାଇଥିଲା। ହେଲେ ନିର୍ମାଣ ର ବର୍ଷ ପରେ ପରେ ଡ୍ୟାମରେ ଜଳ ସଂରକ୍ଷଣ ଠପ ହୋଇ ପଡିଛି। ନିର୍ମାଣ ମୂଳରୁ ରକ୍ଷଣବେକ୍ଷଣ ଅଭାବ ଯୋଗୁ ଡ୍ୟାମରେ ପାଣି ସଂରକ୍ଷଣ ହ୍ରାସ ଦେଖା ଦେଇଛି। ବର୍ତ୍ତମାନ ଡ୍ୟାମ ର ରୂପରେଖ ସମ୍ପୂର୍ଣ୍ଣ ସମତଳ ମରୁଭୂମି ରେ ପରିଣତ ହୋଇଛି।ଆଖି ଯୋଉଠି ପଡିବ କେବଳ ଲଟା ବୁଦାରେ ଭରପୁର ରହିଛି। ଅନ୍ୟପଟେ ବିଭାଗ ପକ୍ଷରୁ ଗାଁ ରେ ଗତ ୧୫ବର୍ଷ ତଳେ ପାଣି ପଞ୍ଚାୟତ କମିଟି ଗଠନ କରି ନିଜ ଦାୟିତ୍ୱ ସାରି ଦେଇ ନିରବ ସାଜିଛି। ଚାଷୀମାନେ ସେତେବେଳୁ ଜଳକର ଦେଇ ଦେଇ ଆସୁଛନ୍ତି।ହେଲେ ମୂଳରୁ ଡ୍ୟାମ ରୁ ନିଜ ଚାଷ ଜମି କୁ ଜଳ ସେଚନ ହୋଇ ପାରି ନ ଥିବା ମା ଭଣ୍ଡାର ଘରଣୀ ପାଣି ପଞ୍ଚାୟତ ସଭାପତି ଇଡି ଗୋପାଳ ପ୍ରକାଶ କରନ୍ତି। ଡ୍ୟାମ ର ମରାମତି ଓ ପଙ୍କ ଉଦ୍ଧାର କରିବାକୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ବିଭାଗ ଅଧିକାରୀ ନିରବ ରହୁଥିବା ନେଇ ଚାଷୀମାନେ କ୍ଷୁବ୍ଧ ପ୍ରକାଶ କରନ୍ତି।ଦିନ କୁ ଦିନ ପାଣିପାଗ ପରିବର୍ତ୍ତନ ଓ ସ୍ୱାଭାବିକ ଠାରୁ ଅଞ୍ଚଳ ରେ କମ ବର୍ଷା ହେବା ଲାଗି ରହିଛି। ଏଇଲିସ୍ଥଳେ ଉକ୍ତ ଡ୍ୟାମ ର ମରାମତି ଓ ପଙ୍କ ଉଦ୍ଧାର କରାଗଲେ ନିଶ୍ଚିତ ଭାବେ ଗ୍ରାମର ଶତାଧିକ ଚାଷୀ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଏଥିପ୍ରତି ଧର୍ମଗଡ଼ କ୍ଷୁଦ୍ର ଜଳ ସେଚନ ବିଭାଗ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଚାଷୀ ବାଧ୍ୟ ହୋଇ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ପାଣି ପଞ୍ଚାୟତ କୋଷାଧ୍ୟକ୍ଷ ନରହରି ଗୋପାଳ, ସତ୍ୟବାନ ଗୋପାଳ, ଗୌରୀ ଶଙ୍କର ଗୋପାଳ, ହର ଗୋପାଳ ଗ୍ରାମର ଚାଷୀ ଓ ପାଣି ପଂଚାୟତ ସଭ୍ୟ ମାନେ ଚେତାବନୀ ଦେଇଛନ୍ତି।ଏନେଇ ଧର୍ମଗଡ଼ ଉପଖଣ୍ଡ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

Leave a Reply

Your email address will not be published. Required fields are marked *