ପେଙ୍ଗଢୁସି ଗ୍ରାମରେ ଯୁବକଙ୍କୁ ହତ୍ୟା ଘଟଣା

କ୍ରାନ୍ତିକ୍ଷେତ୍ର ନ୍ୟୁଜ୍/ଭବାନୀପାଟଣା, (ପ୍ରଦିପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମରେ ଗତ ଜାନୁଆରୀ ୧୫ ତାରିଖ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା ।ଘଟଣାର ୯୭ ଦିନ ପରେ ଥୁଆମୂଳ ରାମପୁର ପୁଲିସ ଦ୍ଵିତୀୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଭାଟିପାସ ଗ୍ରାମର ମାସିଆ ମାଝୀଙ୍କ ପୁଅ ଲକ୍ଷ୍ମଣ ମାଝୀ(୩୨) ଗତ ଜାନୁୟାରୀ ୧୫ ତାରିଖ ରାତିରେ ପେଙ୍ଗଢୁସି ଗ୍ରାମକୁ ଯାତ୍ରା ଦେଖିବାପାଇଁ ଆସିଥିଲେ। ହେଲେ ସକାଳେ ଲକ୍ଷ୍ମଣଙ୍କ ଶବ ଗାଁ ରେ ପଡିଥିବା ନେଇ ଲୋକେ ଦେଖିବାକୁ ପାଇଥିଲେ।

୯୭ ଦିନ ପରେ ଦ୍ଵିତୀୟ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ

ପରିବାର ଲୋକେ ହତ୍ୟା କରାଯାଇଥିବା ନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଆରମ୍ଭ କରିଥିଲେ। ପରେ ଅଭିଯୁକ୍ତ ରାଜେନ୍ଦ୍ର ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅନ୍ୟ ପକ୍ଷରେ ହେମନ୍ତ ନାଏକ ଫେରାର ହୋଇଯାଇଥିଲେ। ଆଜି ୯୭ ଦିନ ପରେ ପେଙ୍ଗଢୁସି ଗ୍ରାମର ଅଭିଯୁକ୍ତ ହେମନ୍ତ ନାଏକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି କୈବଲ୍ୟ ସେଠ ପ୍ରକାଶ କରିଛନ୍ତି।