୩୦ରେ ତିନି ମନ୍ଦିରର ରତ୍ନମୁଦ ଉତ୍ସବ

ଗାଁ ଗାଁରେ ପ୍ରଚାର ରଥକୁ ଭବ୍ୟ ସ୍ବାଗତ

କ୍ରାନ୍ତିକ୍ଷେତ୍ର ନ୍ୟୁଜ୍/ଥୁଆମୁଲ ରାମପୁର (ପ୍ରଦିପ ପଣ୍ଡା) : ଆସନ୍ତା ୩୦ ତାରିଖ ଦିନ ହେବ ତିନି ଗୋଟି ମନ୍ଦିରର ରତ୍ନମୁଦ ଉତ୍ସବ। ପବିତ୍ର ଅକ୍ଷୟ ତୃତୀୟାର ସେଇ ଶୁଭ ସମୟକୁ ଆବେଗ ସହ ଅପେକ୍ଷା କରି ଅନାଇ ବସିଛନ୍ତି ଅଞ୍ଚଳ ବାସୀ। ଅଞ୍ଚଳରେ ଖେଳି ଯାଇଛି ଆନନ୍ଦ ଓ ଉତ୍ସାହର ବାତାବରଣ। ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଭରି ପଡୁଛି ଉତ୍କଣ୍ଠା। ଅଞ୍ଚଳ ପାଇଁ ସୃଷ୍ଟି ହେବାକୁ ଯାଉଛି ଏକ ନୂତନ ଇତିହାସର ସୁବର୍ଣ୍ଣ ଅଧ୍ୟାୟ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ଆଦିପୀଠର ନିର୍ମିତ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ହେବ। ଏଥିସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ରାମେଶ୍ୱର ମହାଦେବଙ୍କ ନବ ନିର୍ମିତ ମନ୍ଦିରର ମଧ୍ୟ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସ୍ଥାନୀୟ ମନ୍ଦିର ନିର୍ମାଣ କମିଟି, ବିଭିନ୍ନ ମନ୍ଦିରର ପୂଜା କମିଟି, ଯୁବଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ମିଳିତ ହୋଇ ଉଦ୍ୟମ ଜାରି ରଖିଛନ୍ତି। ଏହି ମହାନ ଉତ୍ସବରେ ସ୍ଥାନୀୟ ଅଞ୍ଚଳ ସମେତ ଜିଲ୍ଲା ତଥା ଅନ୍ୟ ଜିଲ୍ଲାରୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହେବେ ସେନେଇ ପ୍ରଚାର ପ୍ରସାର ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି।ଗାଁ ଗାଁରେ ଲାଗିଛି ପ୍ରଚାର ପତ୍ର ପୋଷ୍ଟର। ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରମୁଖ ସ୍ଥାନ ଗୁଡିକରେ ଲାଗିଛି ବଡବଡ ହୋଡିଂ। ଗାଁ ଗାଁକୁ ବୁଲୁଛି ତିନି ଦେବାଦେବୀଙ୍କ ପ୍ରଚାର ରଥ। ଅଞ୍ଚଳରେ ଦେଖାଦେଇଛି ଏକ ଆଧ୍ୟାତ୍ମିକ ପରିବେଶ। ପ୍ରଚାର ରଥକୁ ପୂଜାର୍ଚ୍ଚନା ସହ ଭବ୍ୟ ସ୍ବାଗତ କରାଯାଉଥିବା ଦେଖିବାକୁ ମିଳୁଛି। ପ୍ରଚାର ରଥ,ପୋଷ୍ଟର ଓ ହୋଡିଂ ମାଧ୍ୟମରେ ସମସ୍ତଙ୍କୁ ଏଇ ପବିତ୍ର ଉତ୍ସବରେ ଆମନ୍ତ୍ରଣ କରାଯାଉଛି। ଏହି ରତ୍ନମୁଦ ଉତ୍ସବର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି।ଚଳିତ ମାସ ୩୦ ତାରିଖ ବୁଧବାର ବୈଶାଖ ଶୁକ୍ଳପକ୍ଷ ପବିତ୍ର ଅକ୍ଷୟ ତୃତୀୟା ଦିନ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ।ଯାହାର ଶୁଭାରମ୍ଭ ୨୮ ତାରିଖ ସୋମବାର ଦିନ ଅପରାହ୍ନ ୪ ଘଣ୍ଟା ସମୟର ଶୁଭ ମୁହୂର୍ତ୍ତରେ କଳସ ଯାତ୍ରା ଏବଂ ଅଧିବାସ ସହ ଅନୁଷ୍ଠିତ ହେବ। ୨୯ ତାରିଖ ମଙ୍ଗଳବାର ଦିନ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ ହେବ। ଅନ୍ତିମ ଦିନ ତଥା ୩୦ ତାରିଖ ଦିନ ଘ୧.୩୨ ମିନିଟ ସମୟରେ ରତ୍ନ ଭରଣ ତଥା ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବା ନେଇ ନିର୍ଦ୍ଧାରିତ ହୋଇଛି। ଏହି ଉତ୍ସବରେ ସାମିଲ ହେବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଶେଷ କରି ପଡୋଶୀ ଜିଲ୍ଲା ରାୟଗଡା, ନବରଙ୍ଗପୁରରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ଆଶା କରାଯାଉଛି। ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବାକୁ ବିଶେଷ ଉଦ୍ୟମ ରହିବ ବୋଲି ଆୟୋଜକ କମିଟି ଦ୍ବାରା ପ୍ରକାଶ କରାଯାଇଛି।