କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଜାମ୍ମୁ କାଶ୍ମୀରରେ ହିନ୍ଦୁ ପର୍ଯ୍ୟଟକ ମାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆଜି ରାୟଗଡ ନଗରରେ ହିନ୍ଦୁ ଏକତା ମଞ୍ଚ ତରଫରୁ ଏକ ପ୍ରତିବାଦ ସଭା ସହ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।ଶୋଭାଯାତ୍ରାରେ ପାକିସ୍ତାନ ସରକାର ମୁର୍ଦାବାଦ, ହିନ୍ଦୁ ହିନ୍ଦୁ ଭାଇ ଭାଇ ସହ ଆତଙ୍କବାଦୀ ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏହି ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ବିଭିନ୍ନ ହିନ୍ଦୁ ସଙ୍ଘଠନର ବୁଦ୍ଧିଜୀବୀ ମାନେ ନିଜ ନିଜର ପ୍ରତିବାଦ ବିଷୟ ରଖିଥିଲେ। ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆ ଯାଇଥିଲା। ସୂଚନା ଥାଉକି ଏହି ଆତଙ୍କବାଦୀ ହମଲା ମଙ୍ଗଳବାର ଅପରାହ୍ନରେ ପହଲଗାମର ବୈସରନ ମେଡୋରେ ଘଟିଥିଲା। ଯାହାକୁ ‘ମିନି ସ୍ୱିଟଜରଲ୍ୟାଣ୍ଡ’ ଭାବେ ମଧ୍ୟ ଜଣାଯାଏ। ଲସ୍କର-ଏ-ତୋଇବା (ଏଲଇଟି) ସହ ଜଡ଼ିତ ଆତଙ୍କବାଦୀମାନେ ପିକନିକ୍ ଓ ପନି ରାଇଡ୍ କରୁଥିବା ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ଏହି ହମଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି ଏବଂ ଜଣେ ଓଡ଼ିଆ ବ୍ୟକ୍ତି ଅଛନ୍ତି। ହିନ୍ଦୁ ମାନଙ୍କୁ ନାମ ପଚାରି ପଚାରି ପରିବାର ସାମ୍ନାରେ ଆତଙ୍କି ଗୁଳି କରିବା ଅତ୍ୟନ୍ତ ଦୁଃଖ ବିଷୟ ଥିବା ମନ୍ତବ୍ୟରେ କିଛି ହିନ୍ଦୁ ଭାଇ କହିଛନ୍ତି। ତେବେ ସମଗ୍ର ହିନ୍ଦୁ ସମାଜ ଜାତି, ଭାଷା ଭିତିରେ ଅଲଗା ନହେଇକି ଏକ ଧର୍ମ ହିନ୍ଦୁ ଧର୍ମ ନାରାରେ ଏକତ୍ରିତ ହୋଇ ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ହିନ୍ଦୁ ଏକତା ମଞ୍ଚ ତରଫରୁ ଆହ୍ୱାନ ଦିଆ ଯାଇଥିଲା।