ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ( ଶୁଭ୍ରାଂଶୁ ନାଏକ) : ନୂଆପଡ଼ା ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ ବୋଡ଼େନ ଶାଖା ଦ୍ଵାରା ୮ ଦଫା ଦାବୀ ନେଇ ଆଜି ବିରାଟ ରେଲି ସାଙ୍ଗକୁ କୃଷି କାର୍ଯ୍ୟାଳୟ, ବୋଡ଼େନ ବନ ବିଭାଗ ଓ ତହସିଲ ଅଫିସ ଘେରାଉ କରାଯିବା ସହ ଧାରଣା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଏଠାରେ ବସବାସ କରୁଥିବା ଅନେକ ପରିବାର ଜଙ୍ଗଲ ଜମି ଉପରେ ନିର୍ଭରଶୀଳ। ଜଙ୍ଗଲ ଜମି ଉପରେ ପୁରୁଷାନୁକ୍ରମେ ଚାଷ ବାସ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଲଘୁବନଯାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି। ଏହି ଜମିର ମାଲିକାନା ପାଇଁ ସରକାରଙ୍କ ଦ୍ଵାରା ଅଣା ଯାଇଥିବା ଜଙ୍ଗଲ ଅଧିକାର ଆଇନ ୨୦୦୬- ଓ ସଂଶୋଧିତ ଆଇନ – ୨୦୧୨ ଉପରେ କାର୍ଯ୍ୟକାରୀ କରାଯାଉ ନାହିଁ। ଏପରିକି ସରକାରଙ୍କ ପ୍ରଦତ୍ତ ଆଇନ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ ନଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଅଣ ଆଦିବାସୀଙ୍କୁ ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ସରକାରଙ୍କ ଆଇନ ଅନୁଯାୟୀ ଗ୍ରାମ ସଭାର ସର୍ବ ମାନ୍ୟତା ରହିଥିବାବେଳେ ଗ୍ରାମ ସଭାକୁ ବନ ବିଭାଗ ଓ ତହସିଲ ବିଭାଗ ଗ୍ରହଣ କରୁ ନାହିଁ। ଏପରିକି ବନ ବିଭାଗ ମାପ କାର୍ଯ୍ୟରେ ସାମିଲ ରହୁ ନ ଥିବା ବେଳେ ଅନେକ କାରଣ ଦର୍ଶାଇ ଟାଳଟୁଲ ନୀତି ଅବଲମ୍ବନ କରୁଛି। କୌଣସି ପଡ଼ା ଗ୍ରାମକୁ ରାଜସ୍ବ ମାନ୍ୟତା ପ୍ରଦାନ କରାଯାଉ ନାହିଁ। ଏପରିକି ପାଟଦରାହ ଗ୍ରାମରେ ବନ ବିଭାଗର ଚାରାରୋପଣ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କାର ନ ଦେଇ ହଡ଼ପ କରାଯାଇଛି। ଏହା ଉପରେ ବାରମ୍ବାର ଅଭିଯୋଗ କରି ଆସୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେହିପରି ବୋଡ଼େନ ବ୍ଲକର କୃଷି କାର୍ଯ୍ୟାଳୟ ପକ୍ଷରୁ ଜମି ଜଙ୍ଗଲ ପଟ୍ଟା ପାଇଥିବା ନିରୀହ ଆଦିବାସୀଙ୍କୁ ଙ୍କୁ ବୀମା ବାବଦରେ ଜଣ ପିଛା ୫ଶହ ଟଙ୍କା ନେଇ ଶୋଷଣ କରିଛନ୍ତି। ଏପରି ଅନେକ ସମସ୍ୟା ନେଇ ବୋଡ଼େନ ବ୍ଲକର ବରଗଛ ଛକ ନିକଟରେ ସମାବେଶ ହୋଇ ବିରାଟ ରେଳିରେ କୃଷି କାର୍ଯ୍ୟାଳୟ, ବନ ବିଭାଗ ଓ ତହସିଲ ଅଫିସ ଘେରାଉ କରାଯିବା ପରେ କୌଣସି ସମାଧାନ ନ ହେବାରୁ ବୋଡ଼େନ ତହସିଲ ଅଫିସ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଏହି ସମାବେଶରେ ନୂଆପଡ଼ା ଜିଲ୍ଲା ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ଜିଲ୍ଲା ଆବାହକ ମେଘନାଦ ଖର୍ସେଲ, ଖୁଟୁରାମ ସୁନାନୀ, ହୀରାଲାଲ ମାଝୀ, ସୌଦାଗର ସାହୁ, ଯୁଧିଷ୍ଟିର ସାହୁ, ଶୁଭ୍ରାଂଶୁ କୁମାର ନାଏକ, ହନୁରାମ ମାଝୀ, ସଚିନ ମାଝୀ, ଉଦ୍ଧବ ମାଝୀ, ବାବାଜୀ ମାଝୀ, ବ୍ରଜ ମାଝୀ, ତୁଳସୀ ରାମ ମାଝୀ, ରତ୍ନାକର ମାଝୀ, ରୁଦ୍ର ମାଝୀ, ଡିଙ୍ଗର ମାଝୀ, ରଘୁନାଥ ମାଝୀ, ଦ୍ରୋଣ ମାଝୀ, ଅମର ମାଝୀ ସମେତ ଶତାଧିକ ଜଙ୍ଗଲ ଜମି କମିଟିର ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଉପସ୍ଥିତ ରହିଥିଲେ।