ମୋବାଇଲ ନେଟୱାର୍କର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦୀପ ପଣ୍ଡା): କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଗ୍ରାମରେ ମୋବାଇଲ ନେଟୱାର୍କ ଏକ ପ୍ରହସନ ପାଲଟିଛି।ଯାହାର ସମାଧାନ ପାଇଁ ଆଜି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି କର୍ଲାପାଟ ଗ୍ରାମବାସୀ।ଏଠାରେ ବିଏସ୍ଏନ୍ଏଲ୍ ମୋବାଇଲ ଟାଓ୍ବାର୍ ସ୍ଥାପନା ହୋଇଛି ଯାହା ଆଜକୁ ପ୍ରାୟ ୨ ବର୍ଷ ହେବ ଅଚଳ ଅବସ୍ଥାରେ ପଡିରହିଛି। ବିଭିନ୍ନ ଜରୁରୀ କାଳୀନ ସେବା ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ। ଏଠାରେ ଥାନା, ହାଇସ୍କୁଲ, ଆୟୁର୍ବେଦ ଡାକ୍ତରଖାନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବନବିଭାଗ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଗୁଡିକ ରହିଛି। ହେଲେ ଆଜିର ଡିଜିଟାଲ ଯୁଗରେ ମୋବାଇଲ ଇଣ୍ଟରନେଟ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ଇଣ୍ଟରନେଟ ବ୍ୟବସ୍ଥା ନଥିବା ଯୋଗୁଁ ଏସବୁ କାର୍ଯ୍ୟାଳୟର ଡିଜିଟାଲ କାମ ସବୁଠାରୁ ବଡ ସମସ୍ୟା ସୃଷ୍ଟି କରିଛି। ଏସବୁ ବିଭାଗର କର୍ମଚାରୀ ମାନେ ରହୁଥିବା ବେଳେ ଜରୁରୀ ସୂଚନା ଜରୁରୀ କଥାବାର୍ତ୍ତା ହେଇ ପାରୁନଥିବା ବେଳେ ସେମାନଙ୍କ ମନରେ ଏକ ବିରକ୍ତକର ଭାବନା ସୃଷ୍ଟି ହେଉଛି। ସତେ ଯେମିତି ଏକ ଅନ୍ଧାରୀ ଇଲାକାରେ ଦିନ କାଟିବା କଷ୍ଟ ହୋଇ ପଡିଛି।
ସେଟେଲାଇଟ ସିଷ୍ଟମରେ ଏଠାରେ ଜିଓ ନେଟୱାର୍କ ଉପଲବ୍ଧ ପାଇଁ ସ୍ବତନ୍ତ୍ର ଟାଓ୍ବାର୍ ଏବଂ ବ୍ୟବସ୍ଥା କରାଯାଉ ବୋଲି ମଙ୍ଗଳବାର ଜିଲ୍ଲାପାଳ ପାଓ୍ବାର୍ ସଚିନ ପ୍ରକାଶଙ୍କୁ କର୍ଲାପାଟ ଗ୍ରାମର ରାଜକୁମାର ସିଂଦେଓ, ବିକାଶ ରଞ୍ଜନ ସିଂହ,କୁମର ନାଏକ, ପ୍ରସନ୍ନ ପାତ୍ର ଏବଂ ମଧୁ ସୂନାନୀ ମିଳିତ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ କର୍ଲାପାଟ ବାସୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କେବେ କରିବେ ଏବଂ କେତେଦିନ ଲାଗିବ ତାହା ଦେଖିବା ବାକି ରହିଲା।