ପୋଖରୀଗୁଡାରେ ‘ବହଲେନ୍’ ଯାତ୍ରା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଖରୀ ଗୁଡା ଗ୍ରାମରେ ଆଦିବାସୀ ପରମ୍ପରାର ପର୍ବ ବୋହୋଲେନ୍ ଯାତ୍ରା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମରୁ ରୋଗ ବ୍ୟାଧି ଭଳି ନକାରାତ୍ମକ ଶକ୍ତିକୁ ଦୂରେଇ ଗ୍ରାମରେ ସୁଖ ସମୃଦ୍ଧି ଲାଭ କରିବା ସହିତ ଗ୍ରାମବାସୀଙ୍କ ତଥା ଚାଷବାସର ସୁରକ୍ଷା ପ୍ରାପ୍ତି ପାଇଁ ଗ୍ରାମଦେବୀ ଠାକୁରାଣୀଙ୍କୁ ପ୍ରସନ୍ନ କରିବା ଏବଂ ଶାନ୍ତି କରିବା ପାଇଁ ଗାଁରେ ବୋହୋଲେନ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହିଯାତ୍ରା ଯୋଗୁଁ ଗ୍ରାମଟି ବେଶ୍ ଉତ୍ସବମୁଖର ହୋଇ ଉଠିଥିଲା। ଗାଁରୁ ସମସ୍ତ ନକାରାତ୍ମକ ଶକ୍ତିକୁ ଗାଁ ଠୁ ଦୂରେଇ ପାଇଁ ଗାଁ ମଣ୍ଡରେ ଠାକୁରାଣୀଙ୍କ ଆବାହନ କରି ପୂଜାର୍ଚ୍ଚନା କରାଯାଇଥିଲା।

ଗ୍ରାମର ଜାନୀ, ଦିଶାରୀ ଏବଂ ଗୁରୁମାଏଙ୍କୁ କାଳିସୀ ଲାଗିଥିଲା। ପରେ କଣ୍ଟା ଦୋଳିବସା ଅନୁଷ୍ଠିତ ହୋଇଥିଲା। ମା’ ଠାକୁରାଣୀଙ୍କୁ ଶାନ୍ତି କରିବା ନିମନ୍ତେ କୁକୁଡ଼ା, ପାରା, ହଂସ, ମେଣ୍ଢା ଭଳି ଅନେକ ପଶୁପକ୍ଷୀଙ୍କୁ ବଳି ଦିଆଯାଇଥିଲା। ଏପରି ଭାବରେ ପୂଜାର୍ଚ୍ଚନା କଲେ ଠାକୁରାଣୀ ମା ସନ୍ତୁଷ୍ଟ ହୁଅନ୍ତି ଏବଂ ଗାଁରେ ସୁଖ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହି ଆସିଛି। ଦୀର୍ଘ ୩୫ ବର୍ଷ ବ୍ୟବଧାନ ପରେ ଏହି ଗାଁରେ ବଡ଼ ବୋହୋଲେନ୍ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ପାରମ୍ପରିକ ନାଚଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବେଣିମାଝୀ ଯୋଗଦେଇ ମଞ୍ଚ ଶୁଭ ଉଦଘାଟନ କରିଥିବା ବେଳେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ମୁଖ୍ୟବକ୍ତା ଭାବ ଯୋଗଦେଇ ଥିଲେ। ଠିକ୍ ସେଭଳି ସମ୍ମାନିତ ଅତିଥି ଭାବେ ବ୍ଳକ ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ, ଡମ୍ବରୁଧର ମହାରଣା, ବାଜରା ଭୋଇ, ଫୋଟୁସିଂ ଭୋଇ, କାଳିଆ ନାଏକ, ଦୁର୍ଯ୍ୟୋଧନ ନାୟକ, ଆଦିବାସୀ ବ୍ଳକ ସଭାପତି ସନାତନ ମାଝୀ, କ୍ରିଷ୍ଣା ମାଝୀ, ବାଗଡିଆଣି ସରପଞ୍ଚ ସୁର୍ଯ୍ୟ ମାଝୀ, ସାମ୍ବାଦିକ ଅଙ୍ଗଦ ନାଏକ, ଦୁର୍ଗା କିର୍ତ୍ତି, ହିତେଶ ନାଏକ,ପ୍ରମୁଖ ଯୋଗଦେଇ ଥିଲେ।ଏଥିରେ ଖଣ୍ଡୁଆଳ ରାଜା ଯୁବକ କମିଟି ପୋଖରୀ ଗୁଡା ସଭାପତି ନବିନ ନାଏକ, ଉପସଭାପତି ହରିଶଙ୍କର ମାଝୀ, ସଂପାଦକ ବାଳସିଂ ମାଝୀ, ସହ ସଂପାଦକ ସୁଦେବ ନାଏକ, ପ୍ରମୁଖ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଅଞ୍ଚଳର ବିଶିଷ୍ଟ ଯୁବ ସାମ୍ବାଦିକ ବୀରବଜ୍ରଙ୍ଗ ନାଏକ(ଲାଲଯୋର)ମଞ୍ଚ ପରିଚାଳନା କରିଥିଲେ।