ଗୋଦାବରୀଶ ଆଦର୍ଶ ସ୍କୁଲ ସ୍ଥାପନ ପାଇଁ ବିଧାୟକଙ୍କୁ ଦାବିପତ୍ର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ କୁଲେରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ନିମନ୍ତେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାଳୟଟି ୫ ଏକର ବିଶିଷ୍ଟ ସ୍ଥାନରେ ରହିଛି। ଏବଂ ଭବିଷ୍ୟତରେ ଯେକୌଣସି ନିର୍ମାଣ କାର୍ଯ୍ୟ ନିମନ୍ତେ ପର୍ଯ୍ୟାପ୍ତ ସ୍କୁଲ ଜାଗା ରହିଛି। ଏହାସହ ଖୋଲ ପଡିଆ, ଏସିଆର ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି। ବିଦ୍ୟାଳୟରେ ୭ଜଣ ଶିକ୍ଷକ ସହ ୪ଟି ଶ୍ରେଣୀ କୋଠରୀ ରହିଛି। ବର୍ତ୍ତମାନ ୧୬୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଏହି ବିଦ୍ୟାଳୟଟି ପଞ୍ଚାୟତର ଏକ ପ୍ରମୁଖ ସ୍କୁଲ ଅଟେ। ଏହି ବିଦ୍ୟାଳୟରୁ ପ୍ରତିବର୍ଷ ନିୟମିତ ଅଷ୍ଟମ ଶ୍ରେଣୀରୁ ଉତିର୍ଣ୍ଣ ହୋଇ ଛାତ୍ରଛାତ୍ରୀ ନିକଟସ୍ଥ ହାଇସ୍କୁଲକୁ ଯିବାକୁ ପଡୁଛି। ଏ ସବୁ ଦୃଷ୍ଟି ଓ ଆବଶ୍ୟକ ଭିତ୍ତିଭୂମୀ ଥିବାରୁ କୁଲେରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଧର୍ମଗଡ ବିଧାୟକଙ୍କୁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ହେମନ୍ତ ମାଝୀ, ହେଜମନ ନିଏଲ, ଧନୁର୍ଜୟ ବାଗ, କୁଞ୍ଜବିହାରୀ ସୋରୀ, ତ୍ରିନାଥ ନିଏଲ, ପରିକ୍ଷିତ ସୋରୀ, ଭରତୁ ନାଏକ, ଶିବରାମ ନାଏକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।