କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁସୂଦନ ଠାକୁର) : ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି, ଉପର ମୁହାଁ ପ୍ରାୟ ସବୁଦିନ ୪୦ ଡିଗ୍ରୀ ଉପରେ ରହିଛି ତାପମାନ। ଚଳିତ ବର୍ଷ ମାର୍ଚ୍ଚ ମାସରୁ ମୁଣ୍ଡ ଫଟା ଖରା ଆରମ୍ଭ ହେଉଛି। ଏହାରି ଭିତରେ ଆଉ ତିନି ମାସ କିପରି କଟିବ ଲୋକେ ଭାଳେଣି କଲେଣି।କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ମଧ୍ୟରେ ଯାଇଛି ୨୬ ନମ୍ବର ଜାତୀୟ ରାଜପଥ। ଏହି ରାଜପଥରେ ଦିନ ରାତି ଗାଡ଼ି ମଟର ଚାଲିଛି, ଗୋଟିଏ ପଟେ ସୂର୍ଯ୍ୟ ଦେବଙ୍କ ପ୍ରକୋପ ତ’ ଆଉ ଗୋଟିଏ ପଟେ ଗାଡ଼ି ମଟରରୁ ବାହାରୁ ଥିବା ଗରମ ଧୁଆ ରେ କେସିଙ୍ଗାବାସୀ ତ୍ରାହି ତ୍ରାହି କଲେଣି। ସେପଟେ ମାତ୍ର କିଛି ମାସ ତଳେ ସହରର ଏକ ମାତ୍ର କମ୍ପ୍ୟୁଟରୀକରଣ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଟ୍ରାଫିକ ସିଗ୍ନାଲ ଲାଇଟରେ ଗ୍ରୀନ ଲାଇଟ ୩୦ ସେକେଣ୍ଡ ସ୍ଥିର କରାଯାଇଥିବାବେଳେ ରେଡ ଲାଇଟକୁ ୭୫ ମିନିଟ ସ୍ଥିର କରାଯାଇଛି। ଫଳରେ ରେଡ ଲାଇଟ ଆସିଲେ ଗାଡ଼ି ଚାଳକ ମାନଙ୍କୁ ଏତେ ବଡ ଖରାରେ ପ୍ରାୟ ଦେଢ଼ ମିନିଟ ରାସ୍ତା ମଝିରେ ଠିଆ ହେବାକୁ ପଡୁଛି। ତେବେ ଖରା ଦାଉରୁ ରକ୍ଷା ପାଇବା ପାଇଁ କିଛି ଅମାନିଆ ଗାଡ଼ି ଚାଳକ ମାନେ ଗ୍ରୀନ ଲାଇଟ କୁ ଅପେକ୍ଷା ନ କରି ରେଡ ଲାଇଟ ଜମ୍ପ କରୁଛନ୍ତି। ଫଳ ସ୍ୱରୂପ ଦୁର୍ଘଟଣା ବଢିବାର ଆଶଙ୍କା ଅଧିକ ରହୁଛି। ତେଣୁ ଅତି ଶୀଘ୍ର ଟ୍ରାଫିକ ପୋଷ୍ଟରେ ଛାଉଣୀର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହୋଇଛି।