କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଦିନ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଲୁକ ଆଇନ ସେବା ସମିତି କେସିଙ୍ଗା ଦିପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ୩୮ ଟି ପ୍ରାକବ୍ୟାଙ୍କ ଋଣ ଜନିତ ମାମଲାରେ ମୋଟ ୨୦ ଲକ୍ଷ ୨୨ ହଜାର ୭୮୨ ଟଙ୍କା ଋଣ ଆଦାୟ ହୋଇଥିଲା। ସେହିପରି ଗୋଟିଏ ଚେକ ବାଉନସ ମାମଲାର ବିଚାର କରି ୫୧ ହଜାର ଟଙ୍କା ଏବଂ ୨୫ ଟି ଫାଇନାଲ ରିପୋର୍ଟ କେସ ର ବିଚାର କରାଯାଇଥିଲା। ସେହିପରି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୦୨ ଟି ରାଜସ୍ବ ମାମଲାର ବିଚାର କରାଯାଇ ୮୨ ହଜାର ୯୧୭ ଟଙ୍କା ଆଦାୟ ହୋଇଥିଲା। ଏହି ଲୋକ ଅଦାଲତରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ସହକାରୀ ସରକାରୀ ଓକିଲ ପ୍ରକାଶ କୁମାର ଦାସ, ବରିଷ୍ଠ ଆଇନଜୀବି ସୌମ୍ୟ ରଞ୍ଜନ ମିଶ୍ର, ସନ୍ତୋଷ କୁମାର ଦାସ, ସନ୍ଦୀପ ବାନାର୍ଜୀ, ହରିପ୍ରସାଦ ତାଣ୍ଡି , ପ୍ରଭାକର ତାଣ୍ଡିଙ୍କ ସମେତ ଅନ୍ୟ ବରିଷ୍ଠ ଆଇନଜୀବି ଓ ଅଦାଲତ କର୍ମଚାରୀମାନେ ଉପସ୍ଥିତ ଥିଲେ।