ସିଗ୍ନାଲ ପୋଷ୍ଟ ପାଖରେ ଛାଉଣୀ ବ୍ୟବସ୍ଥା କେବେ ?

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ସ୍ବାସ୍ତିଦୀପ ଆଦିତ୍ୟ) : ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଅସହ୍ୟ ତାତି ଯୋଗୁଁ କଳବଳ ହେଉଛନ୍ତି ଲୋକେ। ଦିନ ୧୦ଟା ପରେ ଶୁନଶାନ୍ ହୋଇଯାଉଛି ରାସ୍ତା ଘାଟ। କୈାଣସି ଜରୁରୀ କାର୍ଯ୍ୟ ନହେଲେ ଘରୁ ବାହାରୁ ନାହାଁନ୍ତି ଲୋକ। କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ମଧ୍ୟରେ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଦିନ ରାତି ଗାଡ଼ି ମଟର ଚାଲିଥିବାବେଳେ ଏଠାରେ ବିଭିନ୍ନ ଟ୍ରାଫିକ ସିଗ୍ନାଲ ଠିକଣାରେ ଯାତ୍ରୀମାନେ ତାପମାନ ଓ ଧୁଳିରେ ଖୁଲା ଆକାଶ ତଳେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି। ଏହା ତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅନେକ ବିପଦଜନକ ସୃଷ୍ଟି କରୁଛି । ମାତ୍ର ବର୍ଷେ ତଳେ ଜୁନାଗଡ ସହରରେ ଲାଗିଥିବା କମ୍ପ୍ୟୁଟରୀକରଣ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହୋଇଛି । ଟ୍ରାଫିକ ସିଗ୍ନାଲ ଲାଇଟରେ ଗ୍ରୀନ ଲାଇଟ ୩୦ ସେକେଣ୍ଡ ସ୍ଥିର କରାଯାଇଥିବାବେଳେ ରେଡ ଲାଇଟକୁ ୬୦ ସେକେଣ୍ଡ ସ୍ଥିର କରାଯାଇଛି। ଯାହା ଫଳରେ ରେଡ୍ ଲାଇଟ ଆସିଲେ ଗାଡ଼ି ଚାଳକ ମାନଙ୍କୁ ଏତେ ବଡ ଖରାରେ ପ୍ରାୟ ଗୋଟିଏ ମିନିଟ ରାସ୍ତା ମଝିରେ ଅଟକି ରହିବାକୁ ପଡୁଛି। ଆଉ ଖରା ଦାଉରୁ ରକ୍ଷା ପାଇବା ପାଇଁ କିଛି ଅମାନିଆ ଗାଡ଼ି ଚାଳକ ମାନେ ଗ୍ରୀନ ଲାଇଟକୁ ଅପେକ୍ଷା ନକରି ରେଡ ଲାଇଟ ଜମ୍ପ କରୁଛନ୍ତି। ଫଳ ସ୍ୱରୂପ ଦୁର୍ଘଟଣା ବଢିବାର ଆଶଂକା ବେଶୀ ରହୁଛି। ତେଣୁ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତି ଶୀଘ୍ର ଟ୍ରାଫିକ ସିଗ୍ନାଲ ପୋଷ୍ଟରେ ଛାଉଣୀ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି।