ଲୁପ୍ତ ହେବାକୁ ଯାଉଛି ‘କଳାହାଣ୍ଡି ମଇଁଷି’ ପ୍ରଜାତି 

କ୍ରାନ୍ତିକ୍ଷେତ୍ର,(ସ୍ବତନ୍ତ୍ର) : ଦେଶରେ ମଇଁଷିଙ୍କର ମୋଟ ୧୯ଟି ପ୍ରଜାତି ରହିଛନ୍ତି। ସେଥିରୁ ଓଡ଼ିଶାରେ ଚିଲିକା ମଇଁଷି, କଳାହାଣ୍ଡି ମଇଁଷି ଓ ମଣ୍ଡା ମଇଁଷି ରହିଛନ୍ତି। ଏସବୁ ପ୍ରଜାତି ମଧ୍ୟରୁ କଳାହାଣ୍ଡି ମଇଁଷି ସ୍ବତନ୍ତ୍ର। କଳାହାଣ୍ଡି ଜିଲ୍ଲା ସାରା ତଥା ପଡୋଶୀ ଜିଲ୍ଲା ରାୟଗଡ଼ାରେ ଏହି ପ୍ରଜାତିର ମଇଁଷି ଦେଖାଯାଆନ୍ତି। ତେବେ ଧର୍ମଗଡ଼, ଜୁନାଗଡ଼, କୋକସରା, ଗୋଲାମୁଣ୍ଡା ଓ ଭବାନୀପାଟଣା ବ୍ଲକରେ ଏମାନଙ୍କ ସଂଖ୍ୟା ଅଧିକ। କଳାହାଣ୍ଡି ମଇଁଷି ଆକାରରେ ମଧ୍ୟମ ଓ ବେଶ୍ ହୃଷ୍ଟପୃଷ୍ଟ । ଅଣ୍ଡିରା ଓ ମାଇଁ ଉଭୟ ମଇଁଷିକୁ କଳାହାଣ୍ଡି ଓ ରାୟଗଡ଼ା ଅଞ୍ଚଳରେ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଉଛି। କଳାହାଣ୍ଡି ମଇଁଷୀ କଠୋର ପରିଶ୍ରମୀ। ସେ ସହଜରେ ଥକ୍କେ ନାହିଁ। ଏହି ପ୍ରଜାତି ମଇଁଷିଙ୍କ ମଧ୍ୟରୁ ୮୦ ପ୍ରତିଶତ କଳା ଧୂସର ରଙ୍ଗର ହୋଇଥିବାବେଳେ ୨୦ ପ୍ରତିଶତ ଙ୍କ ରଙ୍ଗ ଧୂସର ପାଉଁଶିଆ ହୋଇଥାଏ। ଅଣ୍ଡିରା ମଇଁଷିଙ୍କ ଛାତି ୧୭୭ ସେ.ମି., ଲମ୍ବ ୧୨୪ ସେମି ହୋଇଥିବାବେଳେ ମାଇଁ ମଇଁଷିଙ୍କ ଛାତି ୧୭୨ ସେ.ମି., ଲମ୍ବ ୧୨୨ ସେ.ମି. ହୋଇଥାଏ। ଏହି ପ୍ରଜାତିର ମଇଁଷିଙ୍କ ମଧ୍ୟରୁ ଅଣ୍ଡିରାଙ୍କ ଶିଙ୍ଗ ୪୯ ସେମି ଓ ମାଇଁ ମଇଁଷିଙ୍କ ଶିଙ୍ଗ ୫୦ ସେମି ରହିଥାଏ। ଜନ୍ମ ସମୟରେ ଅଣ୍ଡିରା ମଇଁଷିର ଓଜନ ୨୩ କେଜି ଓ ମାଇଁ ମଇଁଷି ଶାବକର ଓଜନ ୨୨ କେଜି ରହିଥାଏ। ବର୍ଷକ ସମୟରେ ଅଣ୍ଡିରା ମଇଁଷିର ଓଜନ ୧୮୪ କେଜି ଓ ମାଇଁ ମଇଁଷିର ଓଜନ ୧୭୨ କେଜି ହୋଇଥାଏ। ସେହିପରି ଭାବେ ପ୍ରାପ୍ତ ବୟସ୍କ ଅଣ୍ଡିରା ମଇଁଷିର ଓଜନ ୩୭୭ କେଜି ଏବଂ ମାଇଁ ମଇଁଷିର ଓଜନ ୩୫୦ କେଜି ରହିଥାଏ। ସେମାନଙ୍କୁ କୌଣସି ସଂକ୍ରମଣ ହୋଇନଥାଏ ଓ ଏମାନଙ୍କ କ୍ଷେତ୍ରରେ ବିଶେଷ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ନାହିଁ। କଳାହାଣ୍ଡିରେ ଜାନୁଆରୀ ମାସରେ ସାଧାରଣତଃ ୧୨.°, ଫେବୃୟାରୀରେ ୩୮° ଓ ଅପ୍ରେଲ-ମଇ ମାସରେ ୪୨° ତାପମାତ୍ରା ରହିଥାଏ। ସେହିପରି ଭାବେ ଏହି ଅଞ୍ଚଳରେ ବାର୍ଷିକ ୧୪୧୩.୩ ମି.ମି ବର୍ଷା ହେଉଥିବା ବେଳେ ହାରାହାରି ୧୧୮ ଦିନ ବର୍ଷା ଓ ୧୦ ଦିନ ବନ୍ୟା ହୋଇଥାଏ। ଏମାନେ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ରହିବା ସହିତ ପ୍ରଜନନ କ୍ଷେତ୍ରରେ ମଧ୍ୟ ସଫଳ ଥାନ୍ତି। ମାଇଁ ମଇଁଷି ୩ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦେଇଥାଏ। ଗାଈ କ୍ଷୀରରେ ୩ ରୁ ୪ ପ୍ରତିଶତ ଚର୍ବି ଥିବାବେଳେ କଳାହାଣ୍ଡି ମଇଁଷି କ୍ଷୀରରେ ୮ ପ୍ରତିଶତ ଚର୍ବି ଥାଏ। ପ୍ରୋଟିନ୍ ଯୋଗୁଁ ଏହା ଉତ୍ତାପ ପ୍ରତିରୋଧକ। ମଇଁଷି କ୍ଷୀରରେ ଅଧିକ ପ୍ରୋଟିନ୍ ଏବଂ ଚର୍ବି ଥାଏ। ସେଥିପାଇଁ ଏଥିରେ ଅଧିକ ପରିମାଣର କ୍ୟାଲୋରୀ ମଧ୍ୟ ଥାଏ। ୧ କପ୍ ମଇଁଷି କ୍ଷୀରରେ ୨୭୩ କ୍ୟାଲୋରୀ ଅଛି। ଅନ୍ୟପକ୍ଷରେ, ୧ କପ୍ ଗାଈ କ୍ଷୀରରେ ୧୪୮ କ୍ୟାଲୋରୀ ଥାଏ। କଳାହାଣ୍ଡି ମଇଁଷି କ୍ଷୀରରେ ମଧ୍ୟ କ୍ୟାଲସିୟମ୍ ଭରପୂର ପରିମାଣରେ ଥାଏ, ଯାହା ଦାନ୍ତ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ। ଯଦି ଆପଣଙ୍କର ଶୋଇବାରେ ଅସୁବିଧା ଅଛି, ତେବେ ମଇଁଷି କ୍ଷୀର ପିଅନ୍ତୁ, ଏହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ। କାଦୁଆ ଜମିରେ ଚାଷ କରିବା ପାଇଁ ବଳଦ ଅପେକ୍ଷା ଅଣ୍ଡିରା ମଇଁଷି (ପଣ୍ଡା) ଚାହିଦା ବେଶି । ଗୋଟିଏ କଳାହାଣ୍ଡି ମଇଁଷି ଅନ୍ତତଃ ପକ୍ଷେ ୧୫-୧୬ ବର୍ଷ କାର୍ଯ୍ୟ ଦକ୍ଷ ରହି ଚାଷୀଙ୍କୁ ଶଗଡ଼ ଟାଣିବା, ହଳ କରିବା ଓ ଧାନ ଅମଳ ଇତ୍ୟାଦି କାମରେ ସାହାଯ୍ୟ କରିଥାଏ। ତେବେ ବର୍ତ୍ତମାନର ସମୟରେ ଚାଷ କାର୍ଯ୍ୟରେ ଯନ୍ତ୍ରପାତିର ବହୁଳ ବ୍ୟବହାର ଓ ଚାରଣ ଭୂମିର ଅଭାବ ଯୋଗୁଁ ମଇଁଷି ଦ୍ବାରା ଚାଷକାର୍ଯ୍ୟ କମିବାରେ ଲାଗିଛି। ଲୋକେ ଆଗପରି ଆଉ ମଇଁଷି ପାଳନ କରୁନାହାନ୍ତି। ତେଣୁ ଧିରେ ଧିରେ କଳାହାଣ୍ଡି ମଇଁଷି ପ୍ରଜାତି ଲୋପ ପାଇବାରେ ଲାଗିଛି। ୨୦୧୭ ମସିହାରେ କଳାହାଣ୍ଡି ବଫାଲୋ ପ୍ରଡ୍ୟୁସର୍ସ ସୋସାଇଟି ମାଧ୍ୟମରେ କଳାହାଣ୍ଡି ମଇଁଷି ପ୍ରଜାତିର ସଂରକ୍ଷଣ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏହି ପ୍ରଜାତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅଧିକ ଧ୍ୟାନ ଦେବା ଜରୁରୀ ମନେହୁଏ।