ସରକାରୀ ପାଣ୍ଠି ଆତ୍ମସାତ : ୫ ବନ କର୍ମଚାରୀ ଗିରଫ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୟପାଟଣା ରେଞ୍ଜ ରେ ବୃକ୍ଷ ରୋପଣ ଟଙ୍କା କୁ ଅପବ୍ୟବହାର ଅଭିଯୋଗରେ କଳାହାଣ୍ଡି ଭିଜିଲାନ୍ସ ଚାରି ରେଞ୍ଜରେ କାର୍ଯ୍ୟରତ ଥିବା ପାଞ୍ଚ ଜଣ ବନ କର୍ମଚାରୀ ଗିରଫ କରିଥିବା ଜଣାପଡିଛି। ସେମାନେ ହେଲେ ଡେପୁଟି ରେଞ୍ଜର ଶୈଳେନ୍ଦ୍ରୀ ବାଗ, ଫରେଷ୍ଟର ଉମେଶ ରାଉତ, ଦେବରାଜ ସୁନାନୀ ଓ ଫରେଷ୍ଟ ଗାର୍ଡ ଅଶୋକ ସାହୁ ଓ ଲଳିତ ନାଏକ। ସୂଚନା ଅନୁଯାୟୀ ବୃକ୍ଷ ରୋପଣ ନାଁରେ ସରକାରୀ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଓଡିଶା ଭିଜିଲାନ୍ସ ପକ୍ଷରୁ ଏକ ୨୫ ଜଣିଆ ଅଧିକାରୀ ଦଳ ଅନୁସନ୍ଧାନ କରିଥିଲେ। ରେଞ୍ଜର ବୃକ୍ଷ ରୋପଣ ସ୍ଥାନ ଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ବୃକ୍ଷ ଗଣନା ବେଳେ ସରକାରୀ ଟଙ୍କାକୁ ଅପବ୍ୟବହାର ସହ ଦୁର୍ନୀତି ସାମ୍ନାକୁ ଆସିଥିଲା। ବୃକ୍ଷ ରୋପଣ ପାଣ୍ଠିର ଟଙ୍କାକୁ ବେନାମୀ ବ୍ୟାଙ୍କ ଆକାଉଣ୍ଟ କୁ ପଠାଯାଇ ପରବର୍ତ୍ତୀ ସମୟରେ ସେଇ ଟଙ୍କା ଉଠାଣ କରାଯାଇଥିବା ଜାଣିବାକୁ ପାଇଛି।ଆର୍ଥିକ ବର୍ଷ ୨୦୨୩-୨୪ ରେ ଚମ୍ପାଚୁଆ -୧ ରେ ୧୬ ଶହ ଗଛର ୪୩ ଲକ୍ଷ ୭୫ ହଜାର ୬୩୪ ଟଙ୍କା, ଚମ୍ପାଚୁଆ-୨ ରେ ୧୬ ଶହ ଗଛର ୬ ଲକ୍ଷ ୬୭ ହଜାର ୪୪୬ ଟଙ୍କା, ଖମାରପଦର ବଡ଼ହିଲରେ ୮ଶହ ଗଛର ୧୨ ଲକ୍ଷ ୭୬ ହଜାର ୨୯୧ ଟଙ୍କା, ଖମାରପଦର ଏଏନଆର ରେ ୪ ଶହ ଗଛ ର ୫ ଲକ୍ଷ ୧୨ ହଜାର ୫୧୯ ଟଙ୍କା କୁ ମିଶାଇ ସର୍ବମୋଟ ୭୯, ଲକ୍ଷ ୫୪ ହଜାର ୬୩୫ ଟଙ୍କା ଅପବ୍ୟବହାର ହୋଇଥିବା ଜଣାପଡିଛି। ଏ ନେଇ ଭିଜିଲାନ୍ସ ପକ୍ଷରୁ କେଶ ନମ୍ବର ୧୯/୨୫ ଦୁର୍ନୀତି ତଥା ସରକାରୀ ଟଙ୍କାକୁ ଅପବ୍ୟବହାର ମାମଲା ରୁଜୁ କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି ବର୍ତ୍ତମାନ ତଦନ୍ତ ଜାରି ରହିଛି। ଏଠାରେ ପ୍ରକାଶ ଥାଉକି ଗତ କିଛି ତଳେ ଜୟପାଟଣା ରେଞ୍ଜକୁ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତଦନ୍ତ ହୋଇଥିଲା। ଏ ନେଇ ଫରେଷ୍ଟ ଗାର୍ଡ ଅଶୋକ ସାହୁ ଗିରଫ ହୋଇଥିଲେ।