ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ବଜ୍ରପାତ ଯୋଗୁଁ ପୁଣି ଜଣକ ଜୀବନ ଚାଲିଯାଇଛି। ବ୍ଲକର ବାଗଡିଆଣି ପଞ୍ଚାୟତ ଅନ୍ତର୍ଗତ ଲାଠିଆଗୁଡା ଗ୍ରାମର ବାହାଦୂର ମାଝୀଙ୍କ ସ୍ତ୍ରୀ ପାଲଙ୍ଗି ମାଝୀ ଆଜି ମଧ୍ୟାହ୍ନ ସମୟରେ କାଳବୈଶାଖି ପ୍ରଭାବରେ ପବନ ହେବା ଯୋଗୁଁ ଝଡି ପଡୁଥିବା ଆମ୍ବ ଗୋଟାଇବା ପାଇଁ ଯାଇଥିଲେ।ପାଖରେ ସୁନାସିଂ ମାଝୀଙ୍କ ଦୁଇ ପୁଅ ରମାକାନ୍ତ (୧୬) ଓ ମିଶ୍ର ମାଝୀ (୧୦) ମଧ୍ୟ ଆମ୍ବ ଗୋଟାଉଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା।ଫଳରେ ଘଟଣା ସ୍ଥଳରେ ପାଲଙ୍ଗିଙ୍କ ମୃତ୍ୟୁ ହୋଇଥିବା ବେଳେ ରମାକାନ୍ତ ଏବଂ ମିଶ୍ର ଗୁରୁତର ଅବସ୍ଥାରେ ପଡିଥିଲେ। ସୂଚନା ପାଇ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ଅଗ୍ନିଶମ ଗାଡିରେ ମୃତକଙ୍କ ସମେତ ଗୁରୁତର ଦୁଇ ଭାଇଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏପଟେ ଗୁରୁତର ଦୁଇ ଭାଇ ରମାକାନ୍ତ ଏବଂ ମିଶ୍ର ଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପାଲଙ୍ଗିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ମଙ୍ଗଳବାର ପୋଡାପଦର ପଞ୍ଚାୟତର ତଳଟେମରା ଗାଁର ମାଦାନ ମାଝୀଙ୍କ ନାବାଳିକା ଝିଅ ସବିତା (୯)ର ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଏହି ସମୟରେ ସ୍ଥାନୀୟ ତହସିଲଦାର ନିରଜ କୁମାର ଭାତ୍ରା ପରିବାର ଲୋକଙ୍କୁ ଭେଟି ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ।ବିଧାୟକଙ୍କ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବିଜେପି ନେତା ବିପିନ ବିହାରୀ ନାଏକ ପ୍ରମୁଖ ଡାକ୍ତରଖାନା ପହଞ୍ଚି ଗୁରୁତର ଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ।