ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଚିତ୍ରସେନ ବାଗ) : କୃଷି ଓ କୃଷକ ସଶକ୍ତିକରଣ ପାଇଁ ଅନେକ ଯୋଜନା ରହିଛି। ଧାନ ଫସଲ ଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି କରିବା ପର୍ଯ୍ୟନ୍ତ, ସରକାରୀ ସ୍ତରରେ ମଣ୍ଡି ଗୁଡିକର ଭିତ୍ତିଭୂମି ବିକାଶ କରାଯାଉଛି। କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଡିପିଆର ପ୍ରସ୍ତୁତ ହେବା ସହ ମଣ୍ଡି ନିର୍ମାଣ ଓ ବିଭିନ୍ନ ପ୍ରକାର ମେସିନ କିଣା ଯାଉଛି। କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ନିମ୍ନମାନର ମଣ୍ଡି ନିର୍ମାଣ ତଥା ସାମଗ୍ରୀ କିଣାରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି କୋକସରା, ଜୟପାଟଣା ଓ କଲମପୁର ବ୍ଳକର ସମସ୍ତ ମଣ୍ଡି ପରିଚାଳନା ତଥା ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ କରୁଛି। ବର୍ତ୍ତମାନ ପୁରୁଣା ମଣ୍ଡିରେ ମରାମତି, ରକ୍ଷଣାବେକ୍ଷଣ, ନୂତନ ନିର୍ମାଣ ସହ ନୂଆ ମଣ୍ଡି ମାନଙ୍କର ନିର୍ମାଣ କାର୍ଯ୍ୟ ହେଉଛି। କିନ୍ତୁ କୋଟି କୋଟି ଟଙ୍କାରେ ନିର୍ମାଣ କାର୍ଯ୍ୟ ହେଉଥିବା ମଣ୍ଡି ଅତି ନିମ୍ନମାନର କାର୍ଯ୍ୟ ସମ୍ପାଦନ ହେଉଥିବା ଅଭିଯୋଗ ହେଉଛି। କଲମପୁର ବ୍ଳକ ପଣ୍ଡିଗାଁ ନୂତନ ମଣ୍ଡି ପ୍ରାୟ ଦୁଇ ଏକର ଜାଗାରେ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି। କିନ୍ତୁ ଠିକାଦାର ବାଲି ବଦଳରେ ମାଟି ବ୍ୟବହାର କରୁଥିବାବେଳେ ନିର୍ମାଣ କାର୍ଯ୍ୟ ଲେଭେଳିଙ୍ଗ ଭଳି କିଛି ନାହିଁ। ସେ ଫଡ କଥା ହେଉ ଅବା ପାଚେରୀ ନିର୍ମାଣ କଥା ସବୁଠି ମନଇଚ୍ଛା କାମ କରାଯାଉଛି।
ସେଇଭଳି ଜୟପାଟଣା ବ୍ଳକ ମଙ୍ଗଳପୁର ମଣ୍ଡିରେ ମଧ୍ୟ ଅଳ୍ପ ଗାତ ଖୋଳି ପାଚେରୀ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ହେଲେ ବିଭାଗୀୟ ଅଧିକାରୀ ସବୁ ଜାଣି ଶୁଣି ଚୁପ ବସିଛନ୍ତି। କାର୍ଯ୍ୟ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀଙ୍କ ଖୋଜ ଖବର ମିଳୁନାହିଁ। ଫୋନ କଲେ ଫୋନ ମଧ୍ୟ ରିସିଭ କରୁନାହାନ୍ତି। କନିଷ୍ଠ ଯନ୍ତ୍ରୀ ସାରା କଳାହାଣ୍ଡି ଜିଲ୍ଲାର ଦାଇତ୍ୱ ଥିବା ବେଳେ ସେ ଭୁବନେଶ୍ୱରରେ ରହୁଛନ୍ତି। କେବଳ ବିଲ କରିବା ପାଇଁ ଆସୁଥିବାବେଳେ କାର୍ଯ୍ୟ ତଦାରଖ ଆଉ ଗୁଣବତ୍ତା ଯାଞ୍ଚ ସବୁ ଭଗବାନ ଭରସାରେ ଚାଲିଛି। ତେବେ କିପରି ଅଫିସ ଚାଲିଛି ତାହା ସହଜରେ ଅନୁମେୟ। କଲମପୁର ବ୍ଳକ ବିଜମରା ଓ ଦୁଲକୀବନ୍ଧ ମଣ୍ଡି କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବର୍ତ୍ତମାନ ମଣ୍ଡିରେ କୁତ୍ରିମ ପୋଖରୀ ସୃଷ୍ଟି କରିଛି। ଏହା ଗୋଟିଏ କିମ୍ବା ଦୁଇଟି ମଣ୍ଡିର କଥା ନୁହେଁ ପ୍ରାୟ ମଣ୍ଡିରେ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବହୁ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଚାଷୀଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉନ୍ନତମାନର ମଣ୍ଡି ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ତୃଣମୂଳରେ ତାହାର ସଫଳ ରୂପାୟନ ହେଉନାହିଁ। ନିୟନ୍ତ୍ରିତ ବଜାର କମିଟି ଦୁର୍ନୀତିର ଗନ୍ତାଘର ପାଲଟିଛି। ମଣ୍ଡି ପରିଚାଳନା ପାଇଁ ତାରପୋଲିଂ, ଲାଇଟ, ସିସିଟିଭି, ଓଜନ ମେସିନ, ଧାନ ଆଦ୍ରତା ପରୀକ୍ଷାଣ ଯନ୍ତ୍ରାଂଶ, ଲୋଡିଙ୍ଗ ମେସିନ ଭଳି ଅନେକ ସାମଗ୍ରୀ କ୍ରୟରେ ନିମ୍ନ ମାନର ସାମଗ୍ରୀ କ୍ରୟ ତଥା ସରକାରୀ ନିୟମକୁ ଉଲଂଘନ କରିଥିବା ଅଭିଯୋଗ କରିଛନ୍ତି ଚାଷୀ। ମେସିନ ଗୁଡିକ ଧାନ କ୍ରୟରେ ବ୍ୟବହାର ହେଉ ନଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଛି। ତାରପୋଲିଂ ଗୁଡିକୁ ମଧ୍ୟ ଯତ୍ନରେ ନରଖିବା ସହ ମଣ୍ଡି ସରିଗଲେ କଳାବଜାରୀ ହେଉଥିବା ନଜିର ରହିଛି। ତେବେ କେବେ ଏ ଦିଗରେ ତଦନ୍ତ ହେବ ଆଉ ନିୟନ୍ତ୍ରିତ ବଜାର କମିଟି ର ଦୁର୍ନୀତିର ପେଡି ଖୋଲିବ ତାହା ହିଁ ବର୍ତ୍ତମାନର ବଡ଼ ପ୍ରଶ୍ନ।