‘ସ୍ବାସ୍ଥ୍ୟ ସ୍ବରାଜ’ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତଳାମପଦର ପଞ୍ଚାୟତ ଅନ୍ତର୍ଗତ ସିଗିନି ଗାଁରେ ଅଗ୍ରଣୀ ସଂସ୍ଥା “ସ୍ବାସ୍ଥ୍ୟ ସ୍ବରାଜ” ପକ୍ଷରୁ ଆଜି ଏକ ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଉପର ଆମ୍ବପଦର, ଟୁଣ୍ଡାମୁଇ, ଟେଣ୍ଡକାମୁଇ, ଏବଂ ତାରାପଦର ଭଳି ଆଖପାଖ ଗାଁରୁ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଲୋକ ସ୍ବାସ୍ଥ୍ୟ ଶିବିରରେ ଉପସ୍ଥିତ ଥିଲେ। “ସ୍ବାସ୍ଥ୍ୟ ସ୍ବରାଜ” ଡାକ୍ତରଖାନାର ଡାକ୍ତର ତିଜୋ ଥୋମାସ ଏବଂ ଡାକ୍ତର ଅସୀତାଙ୍କ ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ପତ୍ର ପ୍ରଦାନ କରାଯାଇଥିଲା। ବିଶେଷ କରି ଅଞ୍ଚଳର ଗର୍ଭବତୀ ମହିଳା,୫ ବର୍ଷରୁ କମ୍ ବୟସର ଛୁଆଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଏବଂ ସାଧାରଣ ରୋଗୀଙ୍କ ପାଇଁ ମଧ୍ୟ ଏହି ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ପତ୍ର ପ୍ରଦାନ କରାଯାଇଛି। ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରକୁ “ସ୍ବାସ୍ଥ୍ୟ ସ୍ବରାଜ”ର ସ୍ବାସ୍ଥ୍ୟ କର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ। ବ୍ଲକର କାଣିଗୁମା ଠାରେ ଏହି ସଂସ୍ଥା ଦ୍ବାରା ପରିଚାଳିତ ଡାକ୍ତରଖାନା ଗତ କିଛି ବର୍ଷ ହେଲା ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛି। କାଣିଗୁମା ସମେତ କିଆପଦର, ତଳାମପଦର, କେରପାଇ, ସିଲେଟ ପଞ୍ଚାୟତର ଦୁର୍ଗମ ଇଲାକାର ଗାଁ ଗୁଡିକରେ ପ୍ରତ୍ୟକ୍ଷ ସେବା ଯୋଗାଇ ଆସୁଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ତରଫରୁ ସୂଚନା ମିଳିଛି। “ସ୍ବାସ୍ଥ୍ୟ ସ୍ବରାଜ” ସଂସ୍ଥା ଦ୍ବାରା ଏଭଳି ସେବାକୁ ସାଧାରଣରେ ପ୍ରଶଂସା କରାଯାଉଛି।