କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଣେଶରାମ ବାଗ) : କଲମପୁର ଷ୍ଟେଟ ବ୍ୟାଙ୍କରେ ଏସଏଚଜି ମହିଳାଙ୍କ ଟଙ୍କା ହେରଫେର ମାମଲାକୁ ନେଇ ଗୁରୁବାର ଦିନ ମହିଳା ମାନଙ୍କ ପକ୍ଷରୁ ଉତ୍ତେଜନା ଲାଗିରହିଥିଲା। ଘଟଣା ଏଭଳି ହେଲା ଯେ, ଶତାଧିକ ମହିଳା ବ୍ୟାଙ୍କକୁ ଘେରି ରଖି କୌଣସି ବ୍ୟାଙ୍କ କର୍ମଚାରୀଙ୍କୁ ବାହାରକୁ ଯିବାକୁ ଦେଲେ ନାହିଁ। ବ୍ୟାଙ୍କରେ ବରଗାଁର ୧୬ ଗୋଟି ଏସଏଚଜି ମହିଲାର ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ବିଷୟ ନେଇ କଲମପୁର ଥାନାରେ ଏସଏଚଜି ମହିଳା ସମୂହ ଅଭିଯୋଗ କରିବା ସହ ବ୍ୟାଙ୍କ କର୍ମଚାରୀ ମାନେ ଖାତାଧାରୀ ମାନଙ୍କ ଅନୁପସ୍ଥିତରେ ଅନ୍ୟ ମାନଙ୍କୁ ଜାଲ ଦସ୍ତଖତ ଥିବା ଭାଉଚର ରଖି କିଭଳି ଟଙ୍କା ଦେଲେ ବୋଲି ବ୍ୟାଙ୍କରେ ଏହାର ତଦନ୍ତ ପାଇଁ ଦାବି କରିଥିଲେ। ସନ୍ଧ୍ୟା ସାଢେ ୬ ଟା ପର୍ଯ୍ୟନ୍ତ ବ୍ୟାଙ୍କ ପରିସର ମଧ୍ୟରେ ହଟ୍ଟଗୋଳ ସହ ମହିଳା ମାନେ ଆନ୍ଦୋଳନ ଜାରି ରଖିଥିଲେ। ଫଳରେ ଅପରାହ୍ନରୁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ପଡିଥିଲା। ସୂଚନାଯୋଗ୍ୟ ଯେ, କଲମପୁର ପଞ୍ଚାୟତ ଅନ୍ତର୍ଗତ ବରଗାଁର ମିଶନଶକ୍ତି ରେ କାର୍ଯ୍ୟ ରତ ଥିବା ସିଆରପି – ସିଏମ ସୁଶୀଳା ଚଣ୍ଡୀ ଏବଂ ଜିପିଏଲଏଫ ଇସି ସଭ୍ୟା ତିଳୋତ୍ତମା ମାଝୀ ଦୁହେଁ ନିଜ ଗ୍ରାମୀୟ ଆଦିମାତା ଏସଏଚଜିରୁ ଗତ ଏପ୍ରିଲ ୨ ତାରିଖରେ ୪୦ ହଜାର ଟଙ୍କା, ମା ସମଲେଶ୍ୱରୀ ଏସଏଚଜି ରୁ ଏପ୍ରିଲ ୩ ତାରିଖରେ ୩୫ ହଜାର ଟଙ୍କା ଏବଂ ମାଁ ସାରଳା ଏସଏଚଜିରୁ ଏପ୍ରିଲ ୧୨ ତାରିଖରେ ୩୮ ହଜାର ୫ଶହ ଟଙ୍କା କଲମପୁର ଷ୍ଟେଟ ବ୍ୟାଙ୍କରେ ଥିବା ସେହି ଏସଏଚଜି ମାନଙ୍କ ଏକାଉଣ୍ଟ ରୁ ଉଠାଣ କରି ନେଇଯାଇଥିଲେ। ଘଟଣା ଜଣା ପଡିବା ପରେ ଦୁହେଁ ଟଙ୍କା ଉଠାଣ କରି ନେଇଯାଇଥିବା ସ୍ୱୀକାର କରି ୨ ଦଳକୁ ସବୁତକ ଟଙ୍କା ଫେରସ୍ତ ଦେଇଥିବାବେଳେ ଅନ୍ୟ ଏକ ଦଳ କୁ ୧୫ ତାରିଖରେ ଫେରସ୍ତ ଦେଇଦେବାକୁ ଲିଖିତ ଭାବେ ଦେଇଥିଲେ। କିନ୍ତୁ ପରୀତାପର ବିଷୟ ଏହିଯେ, ଯେଉଁ ଏସଏଚଜି ଦଳ ଗୁଡିକର ଟଙ୍କା ଉଠାଣ ହୋଇଥିଲା ସେହି ଦଳର ସଭାନେତ୍ରୀ, ସମ୍ପାଦିକା ଏହି ବାବଦକୁ ଜାଣି ନାହାନ୍ତି , କି କୌଣସି ଟଙ୍କା ଉଠାଣ ଭାଉଚରରେ ଦସ୍ତଖତ ମଧ୍ୟ କରି ନାହାନ୍ତି। ତେବେ ତାଙ୍କ ବିନା ସ୍ଵାକ୍ଷରରେ ଖାତାଧାରୀ ମାନଙ୍କ ଅନୁପସ୍ଥିତ ରେ କିଭଳି ବ୍ୟାଙ୍କ ରୁ ଟଙ୍କା ଉଠାଣ ହେଲା। ବ୍ୟାଙ୍କ କର୍ମଚାରୀ କିଭଳି ଭାବେ ଅନ୍ୟ ହାତରେ ଦଳୀୟ ଟଙ୍କାକୁ ପୈଠ କଲେ ତାହାକୁ ନେଇ ବ୍ୟାଙ୍କ ରେ ଯୋଗାଯୋଗ କରି ବୁଝିଲେ । କିନ୍ତୁ ପ୍ରାୟ ୪ ଦିନହେଲା ସେମାନେ ବ୍ୟାଙ୍କରେ ବୁଝିବା ପାଇଁ ଗଲେ ବ୍ୟାଙ୍କ ମେନେଜର ସେମାନଙ୍କୁ ଧମକ ଚମକ କରି ଖରାପ ବ୍ୟବହାର କରି ଫେରେଇ ଦେଉଥିଲେ। ଫଳରେ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ବାଧ୍ୟହୋଇ ସେହି ଏସଏଚଜି ମହିଳା ସମୂହ କଲମପୁର ଥାନାରେ ଟଙ୍କା ହେର ଫେର ହୋଇଥିବା ଘଟଣା କୁ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଥାନା ପକ୍ଷରୁ ଏଏସଆଇ ଶେଖର ଜେନା ବ୍ୟାଙ୍କ କୁ ଆସି ଘଟଣା ସମ୍ପର୍କରେ ବୁଝିଥିଲେ। ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଶେଷଦେବ ନାଏକଙ୍କୁ ଫୋଟୋ ଉଠାଇ ମତାମତ ନେଉଛୁ କହି ରାଗ ତମ ତମ ହୋଇ ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ସ୍ବାଇଁ ଧେକିଆ ମାରି ମୋବାଇଲ ଛଡାଇ ନେବାକୁ ଉଦ୍ୟମ କରୁଥିଲେ। ମୋବାଇଲ ତଳେ ପଡିଯିବାରୁ ମୋବାଇଲ ଫାଟି ଯାଇଥିବା କହିଛନ୍ତି। ଏସବୁ ଦୁର୍ବ୍ୟବହାରକୁ ନେଇ ସାମ୍ବାଦିକ ଶେଷଦେବ କଲମପୁର ପୋଲିସ ରେ ଲିଖିତ ଅଭିଯୋଗ କରିଛନ୍ତି। ମେନେଜର ଶ୍ରୀସ୍ୱାଇଁ ଏଭଳି ପୂର୍ବରୁ ଅନେକ ଥର ଗ୍ରାହକ ମାନଙ୍କ ପ୍ରତି ଦୁର୍ବ୍ୟବହାର ସାଙ୍ଗକୁ ଏହି ଦଳୀୟ ମହିଳା ମାନଙ୍କୁ ମଧ୍ୟ ଏହି ଅଭିଯୋଗ କରିବାରୁ ଧମକ ଚମକ କରି ଦୁର୍ବ୍ୟବହାର କରୁଥିବାକୁ ନେଇ ଉତ୍ତେଜିତ ହୋଇ ପଡ଼ିଥିଲେ। ବ୍ୟାଙ୍କ କୁ ସନ୍ଧ୍ୟା ପର୍ଯ୍ୟନ୍ତ ଘେରି ରହିଥିଲେ। ଖବର ପାଇ ଭବାନୀପାଟଣା ମୁଖ୍ୟ ଶାଖାରୁ ମୁଖ୍ୟ ପ୍ରବନ୍ଧକ ଖିରୋଦ ଦାଶ, ଏଚଆର ମେନେଜର ହିମାଂଶୁ ମେହେର ସିନିଅର ଏସିଷ୍ଟାଣ୍ଟ ବେଣୁ ପଟ୍ଟନାୟକ ପ୍ରମୁଖ ବ୍ୟାଙ୍କକୁ ଆସି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଅଭିଯୋଗ ଗୁଡିକ ମଧ୍ୟ ସଂଗ୍ରହ କରି ସେଗୁଡିକର ତଦନ୍ତ ହେବ ବୋଲି କହିଥିଲେ ଏବଂ ସମସ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ । ଦୋଷୀକୁ ଦଣ୍ଡ ଦିଆଯାଉ ଏବଂ ବ୍ୟାଙ୍କ ମେନେଜରଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଜିଦରେ ଅଡି ରହିଥିଲେ। ରେଜିଓନାଲ ମେନେଜର ଆସନ୍ତାକାଲି ଆସି ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ଫୋନ ରେ ଯୋଗାଯୋଗ ହେବା ପରେ ସନ୍ଧ୍ୟା ସାଢେ ୬ ଟାରେ ମହିଳା ମାନେ ବ୍ୟାଙ୍କରୁ ବାହାରି ଥିଲେ। ଆସନ୍ତାକାଲି ରିଯୁନାଲ ମେନେଜର ଆସି ପଦକ୍ଷେପ ନେବା ଅପେକ୍ଷାରେ ରହିଥିବା ବେଳେ ଆଗକୁ ଆନ୍ଦୋଳନ ଜାରି ରଖିବେ ଏବଂ ବ୍ୟାଙ୍କ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ସାମ୍ବାଦିକ ସମୂହ ବ୍ୟାଙ୍କ ମେନେଜର ଦୁର୍ବ୍ୟବହାର କରିଥିବାରୁ ତାଙ୍କୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସରେ ଦାବୀ କରିଛନ୍ତି। ପ୍ରକୃତ ତଦନ୍ତ କଲେ ଘଟଣାର ସତ୍ୟତା ଜଣାପଡିବ।