ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗୌଡଛେଣ୍ଡିଆ ଗ୍ରାମର ବାସିନ୍ଦା ଏବଂ ଚଳନା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଉମାକାନ୍ତ ହାତୀଙ୍କ ଦୁଃଖଦ ଦେହାନ୍ତ ଘଟିଛି। ଗତ ରାତି ୩ଟା ସମୟରେ ଘରେ ସୋଇ ଥିବାବେଳେ ହଠାତ୍ ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଜୁନାଗଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ସକାଳ ୫ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୩୯ ବର୍ଷ ବୟସରେ ଉମାକାନ୍ତ ହାତୀ ହୃଦଘାତ ହେତୁ ପରଲୋକଗତ ହୋଇଛନ୍ତି। ସେ’ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋସିଂହ ହାତୀଙ୍କ ଏକମାତ୍ର ପୁତ୍ର ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ପରିବାର, ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀ ମଧ୍ୟରେ ଗଭୀର ଶୋକ ବ୍ୟାପିଛି। ତାଙ୍କ ବିୟୋଗ ଜଣେ ସଜ୍ଜନ ଶିକ୍ଷକ, ଜଣେ ନିଷ୍ଠାବାନ କର୍ମଚାରୀ ଓ ସମାଜ ପ୍ରତି ଦାୟିତ୍ୱଶୀଳ ବ୍ୟକ୍ତିଙ୍କ ହାନି ବୋଲି ଅଞ୍ଚଳବାସୀ ବର୍ଣ୍ଣନା କରୁଛନ୍ତି। ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଅନେକ ଗଣମାନ୍ୟ ଲୋକ।