କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ଗ୍ରାମର ବିରାଜ ପଟେଲଙ୍କ ଚାଷ ଜମିରେ ଥିବା ଏକ କୂଅରେ ଶନିବାର ରାତିରେ ଏକ ବିରାଟ କାୟ ଭାଲୁ ପାଣି ସନ୍ଧାନରେ ଆସି କୂଅ ଭିତରେ ପଡ଼ିଯାଇ ଥିଲା। କୂଅ ଅତି ଗଭିର ଥିବାରୁ ଭାଲୁ କୂଅ ଭିତରୁ ଆଉ ବାହାରି ନ ପାରି ଶେଷରେ କୂଅ ଭିତରେ ହିଁ ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ଭୋର ୫ ଟା ବେଳେ ଜମି ମାଲିକ ଚାଷରେ ପାଣି ଦେବାପାଇଁ କୂଅକୁ ଯାଇ ଦେଖିଲା ବେଳେ ଭାଲୁ କୂଅ ଭିତରେ ମରି ଥିବା ଦେଖିବାକୁ ପାଇଥିଲେ। ଏହା ପରେ ଚାଷୀ ଜଣକ କେସିଙ୍ଗା ବନ ବିଭାଗ କୁ ଫୋନ୍ କରିବା ପରେ ବନ ବିଭାଗ କେସିଙ୍ଗା ଦମକଳ ବାହୀନିକୁ ଫୋନ୍ କରିଥିଲେ। ଦୀର୍ଘ ଦୁଇ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଭାଲୁକୁ କୂଅ ଭିତରୁ ବାହାରକୁ ବାହାର କରାଯାଇଥିଲା। ଏଠାରେ ପ୍ରକାଶ ଥାଉକି ଆଜକୁ ପ୍ରାୟ ଚାରି ରୁ ପାଞ୍ଚ ମାସ ହେଲାଣି ଅଞ୍ଚଳରେ ଭାଲୁ ବୁଲୁଥିବାର ଅନେକ ଲୋକ ଦେଖି କେସିଙ୍ଗା ବନ ବିଭାଗକୁ ଖବର ଦେଇ ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ସଚେତନ କାର୍ଯ୍ୟକ୍ରମ କିମ୍ବା ଭାଲୁ କୁ ଘଉଡେଇବା ପାଇଁ କୌଣସି ପ୍ରାୟାସ କରୁ ନଥିବା ଅଭିଯୋଗ ହେଉଛି। ଜଙ୍ଗଲି ଜୀବଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କ ଠାରୁ ଲୋକଙ୍କୁ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ସାଧାରଣରେ ଦାବୀ ହେଉଛି।