କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଥାନା ସୁନାମାଲ ଗାଁ ନିକଟସ୍ଥ ନଦୀ ପାଖରେ ଥିବା ଗଛରୁ ଆଜି ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଉଦ୍ଧାର କରିଛି। ମୃତା ମହିଳା ଜଣକ ସୁନାମାଲ ଗ୍ରାମର ଶକ୍ତି ପରାଭୋଏଙ୍କ ସ୍ତ୍ରୀ ବୈଜୟନ୍ତୀ ପରାଭୋଏ(୨୦) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରୁ ବୈଜୟନ୍ତୀ ନିଖୋଜ ହୋଇଥିବାବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖବର ମିଲି ନଥିଲା। ଅନ୍ୟପଟେ ରବିବାର ସକାଳୁ ବୈଜୟନ୍ତୀର ମୃତଦେହ ନିକଟସ୍ଥ ନଦୀ କୂଳର ଏକ ନିମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହା ପରେ ପରିବାର ଲୋକେ କୋକସରା ଥାନାକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିବାବେଳେ ପରିବାର ଲୋକଙ୍କ ଉପସ୍ଥିତରେ ଶବ ଜବତ କରାଯାଇଥିଲା। ଏବଂ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ଅନ୍ୟପଟେ ମହିଳା ଜଣକ କେଉଁ କାରଣରୁ ଏଭଲି ନିଷ୍ପତ୍ତି ନେଇଛନ୍ତି, ନାଁ ମୃତ୍ୟୁର ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।