ରାମସା, ମା’ ଠାକୁରାଣୀ ପାଟ ଭୀମା ବାଲିଯାତ୍ରା ଉଦଯାପିତ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୁଦେବ ଗଉଡ) : ଗତ ଫେବୃଆରୀ ମାସର ୨୦ ତାରିଖରୁ ଝରିଗାଁ ବ୍ଲକ ପାଳିଆ ପଂଚାୟତ ଅନ୍ତର୍ଗତ ରାମସା ଗ୍ରାମଠାରେ ଆରମ୍ଭ ହୋଇଥିବା ମା’ ଠାକୁରାଣୀ ପାଟ ଭୀମା ବାଲିଯାତ୍ରା ଆଜି ସମ୍ପନ୍ନ ହୋଇଛି। ଉଦଯାପନୀ ଦିନରେ ଗ୍ରାମରେ ପ୍ରବଳ ଜନ ସମୁଦ୍ର ଦେଖିବାକୁ ମିଳିଥିବାବେଳେ ବିଭିନ୍ନ ପ୍ରକାଶ ଉଠା ଦୋକାନୀ ସାଙ୍ଗକୁ ମିନା ବଜାରର ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଗ୍ରାମର ମୁଖ୍ୟ ବ୍ୟକ୍ତି ତଥା ଜଣେ ଭଦ୍ର ବ୍ୟକ୍ତି କମଳସାଏ ମାଝୀଙ୍କ କହିବା ପ୍ରକାରେ ଗାଁ ବସତି ହେବା ପରେ ପରେ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଏହି ବାଲିଯାତ୍ରା ଆରମ୍ଭ ହୋଇଥିଲା।  ଦୀର୍ଘ ୪୮ବର୍ଷ ପରେ ରାମସା ଓ ତାର ତିନୋଟି ପଡା କୁରୁଙ୍ଗାବେଡା, ଗୋପାଳଗୁଡା ଓ ବଡ଼ରାମସା ଜନସାଧାରଣ ଏକତ୍ରିତ ହୋଇ ବୈଠକ କରି ପୁଣିଥରେ ଗ୍ରାମରେ ପାଟ ବାଲିଯାତ୍ରାର ଆୟୋଜନ କରିବା ନେଇ ସ୍ଥିର କରିଥିଲେ। ଚାରି ସାହିର ଜନସାଧାରଣ ଚାନ୍ଦା ଆଦାୟ କରି ଝରିଗାଁ ବ୍ଲକ ବାଣୁଆଗୁଡା ପଳସଗାଁ ଗ୍ରାମର ଗୁରୁମାଏ ହରି ପୂଜାରୀଙ୍କୁ ନିମନ୍ତ୍ରିତ କରି ଗ୍ରାମକୁ ଆଣି ଶୁଭଖୁଣ୍ଟ ସ୍ଥାପନ ପରେ ଫେବୃଆରୀ ମାସର ୨୦ ତାରିଖରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା। ଦୀର୍ଘ ତିନି ମାସ ଧରି ଏହି ବାଲିଯାତ୍ରା ଚାଲିଥିଲା। କୁମାରୀ ଝୀଅ, ପୁଅ, ମହିଳା ଓ ପୁରୁଷ ମାନଙ୍କ ଦେହରେ ରୈଲା, ଭୀମା, ଚୋକ ଧାରନି, ଦାଣ୍ଡ ଧାରନି, କଳା ଧାରନି, ବାର ଦାଇନି, ପାଟରାନୀ, କନ୍ଦନି, ୧୨ ଭାଇ ଭୀମା, ୧୩ ଭାଇ ଚାଉରିଆ, ୩୨ ଭଇନି ମାତା, ୧୬ ଭଇନି ଗଙ୍ଗାଦି, ବୁଡ଼ାରାଜା ଆଦି ଶତାଧିକ ଦେବାଦେବୀ ବିରାଜିତ ହୋଇ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କାଳୀଶି ଚଢିଥିଲେ। ବାଲି କାଢ଼ିବା, ବିହନ ମାଗିବା, ବିହନ ବୁଣିବା ଆଦି ନୀତିକାନ୍ତି ଶେଷ କରିବା ପରେ ଆଜି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ବାଲି ବିସର୍ଜନ କରାଯାଇଛି। ଶେଷ ଦିନରେ ବାଲିଯାତ୍ରାରେ ଜନ ସମୁଦ୍ରକୁ ଦୃଷ୍ଟିରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାମସା ବାଲିଯାତ୍ରା କମିଟି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିଲା। ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ ଶେଷ ରାତିରେ ଦୁଇଟା ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପାଟ ବାଲିଯାତ୍ରାରେ ଗ୍ରାମର ପୂଜାରୀ ମାର ପୂଜାରୀ, କମଳସାଏ ମାଝୀ, ଧନେର ପୂଜାରୀ, ପଦ୍ମନ ପୂଜାରୀ, କେଶବ ପୂଜାରୀ,ସମଦୁ ମାଝୀ, ସାହେବସିଂ ଦୁର୍ଗା, ଦଶରଥ ଗୌଡ଼,ସନାଧର ଭତରା, ସୁନ୍ଦର ମାଝୀ, ମାନସିଂ କଂସାରୀ, ମଙ୍ଗଳୁ ଭତରା, ନରସିଂ ଗୌଡ଼, କେଶବ ଭତରା, ଦଶରୁ ଭତରା, ତୁଲାରାମ ମାଝୀ, ଉଡ଼ଖୁଡି ଗାଣ୍ଡା, ଗୁରୁମାଏ ହରି ପୂଜାରୀ, ସୋମନାଥ ଶିରା, ଚୈତନ ଶିରା, ପଟେଲ ଶିରା ଆଦି ପ୍ରମୁଖ ଭୂମିକା ତୁଲେଇଥିବା ବେଳେ ରାମସା ବାଲିଯାତ୍ରା କମିଟି ଓ କୁରୁଙ୍ଗାବେଡା, ଗୋପାଳଗୁଡା ଓ ବଡ଼ ରାମସା ଗ୍ରାମର ଜନ ସାଧାରଣ ପୂର୍ଣ୍ଣ ସହଯୋଗ କରି ବାଲିଯାତ୍ରାକୁ ସଫଳ କରିଥିଲେ।