ବନ ବିଭାଗ କର୍ମଚାରୀ ମାନଙ୍କୁ ଗାଁ ମନା ଅଭିଯାନ

ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ର ପ୍ରତିବାଦ

ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ଦ୍ୱାରା ବନ ବିଭାଗ କୁ ଗାଁ ମନା ଅଭିଯାନ ମାଧ୍ୟମରେ ପ୍ରତିବାଦ କରଯାଇଛି। ବିଭିନ୍ନ ଗାଁ ଗଣ୍ଡା ଗୁଡିକରେ ବ୍ୟାନର ଲଗାଇ ଗାଁ ଲୋକେ ପ୍ରତିବାଦ କରିବା ସହ ନିଜର ହକ ଅଧିକାର ନ ପାଇବା ଯାଏଁ ପ୍ରତିବାଦ ଅନିର୍ଦ୍ଧିଷ୍ଟ କାଳୀନ ଜାରୀ ରହିବ ବୋଲି ନୂଆପଡ଼ା ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ଜିଲ୍ଲା ଆବାହକ ମେଘନାଦ ଖର୍ସେଲ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାର ଅନୁସୂଚୀତ ଜନ ଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ଜଙ୍ଗଲ ଜମିକୁ ଦଖଲ କରି ପୁରୁଷାନୁକ୍ରମେ ଚାଷ ବାସ କରି ପରିବାର ପ୍ରତିପୋଷଣ କରିବା ସହ ଜଙ୍ଗଲ ଜାତ ଲଘୁବନଯାତ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି। ହେଲେ ଏହି ଜମୀ ର ଅଧିକାର ପାଇଁ ସରକାରଙ୍କ ନିକଟରେ ଦାବୀ କରି ଆସୁଛନ୍ତି। ହେଲେ ବନ ବିଭାଗ ଟାଲ ଟୁଲ ନୀତି ଅବଲମ୍ବନ କରିବା ସହ ଅସହଯୋଗ କରି ମାପ କାର୍ଯ୍ୟରେ ବିଳମ୍ୱ କରୁଛି। ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଜଙ୍ଗଲ ଅଧିକାର ଆଇନ – ୨୦୦୬ ସଂଶୋଧିତ ଆଇନ ୨୦୧୨ କୁ ସଠିକ ଭାବରେ କାର୍ଯ୍ୟ କରୁ ନଥିବା ନେଇ କମିଟି କ୍ଷୋଭ ପ୍ରକାଶ କରିଛି। ସେହିପରି ପଟ୍ଟା ପାଇବାରୁ ବଞ୍ଚିତ ଆଦିବାସୀ ଓ ଅନ୍ୟାନ୍ୟା ବର୍ଗ ର ଅଣ ଆଦିବାସୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ, ଅଣ ରାଜସ୍ୱ ପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମ ର ମାନ୍ୟତା, ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ଓ ଗୋଷ୍ଠିଗତ ଅଧିକାର ପ୍ରଦାନ, ମୋ ଜଙ୍ଗଲ ଜମି ଯୋଜନା କାର୍ଯ୍ୟ କାରିତା ପ୍ରମୁଖ ଦାବୀ ନେଇ ଏହି ଅଭିଯାନ ମାଧ୍ୟମ ରେ ପ୍ରତିବାଦ କରାଯାଇଥିବା ବେଳେ ଏହା ପୂର୍ବରୁ ବାରମ୍ବାର ଆନ୍ଦୋଳନ ଓ ଗଣ ଧାରଣା ଦିଆଯାଇ ଥିବା ବେଳେ କୌଣସି ସୁଫଳ ମିଳିନାହିଁ ବୋଲି କମିଟି ର ଜିଲ୍ଲା ସଂଯୋଜକ ଖୁଟୁରାମ ସୁନାନୀ, ହୀରାଲାଲ ମାଝି, ଯୁଧିଷ୍ଟିର ସାହୁ, ଶୁଭ୍ରାଂଶୁ କୁମାର ନାଏକ, ହନୁରାମ ମାଝି, ଚୈତନ୍ୟ ମାଝି, ଟୋପଚନ ମାଝି, ମନୋହର ମାଝି, ରୁଦ୍ର ସିଂ ମାଝି, ଲକ୍ଷ୍ମଣ ମାଝି, ଡିଙ୍ଗର ମାଝି, ବୁଟୁରାମ ମାଝି, କ୍ଷୀରସିଂ ମାଝି ପ୍ରମୁଖ ସାମିଲ ରହି କାର୍ଯ୍ୟକାରୀ ନ ହେଲେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।