ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଲମପୁର ବ୍ଲକ ଖଣ୍ଡିଡଙ୍ଗରୀଗୁଡା ଓ ଭାଟିଗାଁ ଗ୍ରାମର ଚାଷୀଙ୍କ ଚାଷଜମିକୁ ବନ୍ୟା ଜଳରୁ ରକ୍ଷା କରିବା ଲକ୍ଷ୍ୟରେ ଜଲ ସମ୍ପଦ ବିଭାଗ ପକ୍ଷରୁ ହାତୀନଦୀ କୁଳରେ ପଥରବନ୍ଧ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଆଜି ଜଳ ସମ୍ପଦ ବିଭାଜନର ଏକ ଟିମ ପରିଦର୍ଶନ କରି ପଥରବନ୍ଧ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିଛନ୍ତି। ଏହି ଟିମରେ ସହକାରୀ ଯନ୍ତ୍ରୀ ସମରେନ୍ଦ୍ର ସାମଲ, ସହକାରୀ ଯନ୍ତ୍ରୀ ତାରା ପ୍ରସାଦ ନାୟକ ସାମିଲ ଥିଲେ। ପରିଦର୍ଶନ ସମୟରେ ଭାଟିଗାଁର ବାଲିଚର ଜମି ନିକଟରୁ ବନ୍ୟାଜଳ ପ୍ରବାହିତ ଅଞ୍ଚଳ ଦେଇ ଖଣ୍ଡିଡଙ୍ଗରୀଗୁଡା ଗ୍ରାମ୍ୟ ଜଙ୍ଗଲ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟରରୁ ଅଧିକ ଦୂରତା ପଥରବନ୍ଧ ନିର୍ମାଣ ପାଇଁ ପ୍ରାଥମିକ ସ୍ଥାନ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଏହି ପଥରବନ୍ଧ ନିର୍ମାଣ ହେଲେ ଭାଟିଗାଁ ଓ ଖଣ୍ଡିଡଙ୍ଗରୀଗୁଡାର ନଦୀକୂଳରେ ରହୁଥିବା ୫୦ରୁ ଅଧିକ ଚାଷୀ ପରିବାର ବନ୍ୟା ଜଳର କ୍ଷୟକ୍ଷତିରୁ ସୁରକ୍ଷା ପାଇବେ। ଏହା ସେମାନଙ୍କ ଚାଷଜମି ଓ ଜୀବିକା କୁ ସୁରକ୍ଷିତ ରଖିବାରେ ଏକ ମାଇଲଖୁଣ୍ଟ ପାଲଟିବ। ଏହି ପ୍ରକଳ୍ପର ପ୍ରସ୍ତାବ ଗତ ୧୩ ମଇରେ କଲମପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଉଠିଥିଲା। କଳାହାଣ୍ଡି ଜିଲ୍ଲା ଭାରତ ମୁକ୍ତି ମୋର୍ଚ୍ଚାର ସଭାପତି ମାଧବ ସୁନାନୀ ଏହି ସମସ୍ୟାକୁ ଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ। ତାଙ୍କ ଦରଖାସ୍ତ ଆଧାରରେ ଜଳ ସମ୍ପଦ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଆଜି ସ୍ଥାନ ପରିଦର୍ଶନ କରିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ’ ବନ୍ୟା ପ୍ରବାହିତ ଅଞ୍ଚଳରେ ରହୁଥିବା ଚାଷୀଙ୍କଠାରୁ ସ୍ଳୋପିଙ୍ଗ ନିର୍ମାଣ ପାଇଁ ଅନୁମତି ପତ୍ର ପାଇଲେ, ବିଭାଗ ଏକ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି ସରକାରଙ୍କୁ ପଠାଇବ। ଏହି ଉଦ୍ୟମ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆଶା ଓ ସଚେତନତା ସୃଷ୍ଟି କରିଛି। ଏହି ପଥରବନ୍ଧ ନିର୍ମାଣ କେବଳ ଚାଷୀଙ୍କ ଜମି କୁ ସୁରକ୍ଷା କରିବ ତାହା ନୁହେଁ ବରଂ ଅଞ୍ଚଳର ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବାରେ ମଧ୍ୟ ସହାୟକ ହେବ। ସରକାରୀ ଉଦ୍ୟମ ଓ ଜନସହଯୋଗ ଏହି ପ୍ରକଳ୍ପକୁ ଶୀଘ୍ର ସଫଳତା ଆଣିବ ବୋଲି ଆଶା କରାଯାଉଛି।