ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ ; ପୋଲିସ ତଦନ୍ତ ଜାରି

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବିଜୁ ଏକ୍ସପ୍ରେସୱେର କୋକସରା ବ୍ଲକ ଆମପାଣି ଥାନା ଭୁର୍ଷାଗୁଡା ଛକଠାରେ ଆଜି ମଧ୍ୟାହ୍ନରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ହେଲେ ଭୁର୍ଷାଗୁଡା ଗ୍ରାମର ହାରାବତୀ ଧଙ୍ଗଡାମାଝୀ(୬୫) ବୋଲି ଜଣାପଡ଼ିଛି। ସେ ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା। ସ୍ଥାନୀୟ ଯୁବକ ମାନେ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର କିନ୍ତୁ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆମପାଣି ଥାନା ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଆମପାଣି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି। ପ୍ରକାଶ ଯେ’ ମୃତ ବିଧବା ବୃଦ୍ଧା ଭୁର୍ଷାଗୁଡା ୟୁପି ସ୍କୁଲରେ ଦୀର୍ଘ ବର୍ଷ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିଲେ। ଏଣୁ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।