ସେମେଲପଦରରେ ବସୁଧା ଯୋଜନା ଫେଲ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ରବି ନାରୟଣ ସିଂହ) : ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପାନୀୟ ଜଳ ବସୁଧା ପ୍ରକଳ୍ପ କରି କୋଟି କୋଟି ଟଙ୍କା ଖର୍ଚ କରୁଥିଲେ ହେଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ତାର ସୁଫଳ ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଫଳରେ ସେମେଲପଦର୍ ଭଳି ଦୁର୍ଗମ ଗାଁ ଗୁଡ଼ିପଡ଼ାର ପ୍ରାୟ ୪୫ ଆଦିବାସୀ ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ଝରଣା ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର କର୍ଲାପାଟ ପଞ୍ଚାୟତ ଅଧୀନ ସେମେଲ ପଦର ଗାଁରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗତ ତିନି ବର୍ଷ ପୂର୍ବେ ବସୁଧା ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ କରାଯାଇଛି ତାହା ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।କେବଳ ଫୋଟୋ, ଭିଡିଓ କରି ଟଙ୍କା ହଡ଼ପ କରିବା ଉଦ୍ଦେଶ୍ୟରେ ୫/୬ ଦିନ ପାଣି ମାତ୍ର ଟାଙ୍କି ପାଖର ଘର ମାନଙ୍କୁ ଛାଡିଲେ ବୋଲି ଗ୍ରାମବାସୀ ମତ ଦିଅନ୍ତି। ତାପରେ ସେହି ସୋଲାରର ସବୁ ମେସିନ ଖୋଲି ସେମାନେ ଧରି ଚାଲିଗଲେ ଆଉ ତାଙ୍କର ଦେଖାନାହିଁ। ହେଲେ ଆଜି ପର୍ଯ୍ୟନ୍ତ ତାହା ଅଧାପନ୍ତରିଆ ହୋଇ ପଡିରହିଛି। ପାଣି ଟାଙ୍କି ତିଆରି ହୋଇ ଥିବା ବେଳେ ପାଇପ୍ ମଧ୍ୟ ବିଛା ଯାଇନାହିଁ। ପ୍ରଚଣ୍ଡ ଖରା ଯୋଗୁଁ ଗ୍ରାମରେ ଟୋପାଏ ପାଣି ପାଇଁ ପୂର୍ବ ଭଳି ସେହି ଝରଣାର ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଫଳରେ ମ୍ୟାଲେରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗରୁ ଯେମିତି ମ୍ୟାଲେରିଆ ବହୁତ ପରିମାଣରେ ହେଉଥିଲା ତାହା କିଛିବର୍ଷ ବହୁତ କମିଆସିଥିଲା। ଏ ନେଇ ଠିକାଦାରଙ୍କୁ ଗ୍ରାମବାସୀ ଫୋନ୍ ଯୋଗେ ପଚାରିବାରୁ ୮ ଦିନ ପରେ ହେବ ହେବ ବୋଲି ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ତେଣୁ ଜିଲ୍ଳା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରକଳ୍ପ କାମ ସଂପୂର୍ଣ୍ଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ନ ହେଲେ ଗରା ମାଠିଆ ଧରି ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।