ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଢଗ ନାଏକ) : ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଯେଉଁଥିରେ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଶ୍ରମିକ ପରିବାରକୁ ରୋଜଗାର ଯୋଗାଉଥିବା ବେଳେ ପ୍ରତି ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ଅନେକ ସମୟରେ ଶ୍ରମିକଙ୍କ ମଜୁରୀ ମିଳିବାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଏମିତି କି ଅନେକ ସମୟରେ ଶ୍ରମିକ ମାନେ ଏହି ଯୋଜନାରୁ ମୁହଁମୋଡି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳେ। କଳାହାଣ୍ଡି ଜିଲ୍ଲା ଦଣ୍ଡପାପାଟ ଅଞ୍ଚଳର ଜୟନ୍ତପୁର ପଞ୍ଚାୟତରୁ ମଧ୍ୟ ଶହ ଶହ ଶ୍ରମିକ କର୍ମ ସନ୍ଧାନରେ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ନିଜ ପଞ୍ଚାୟତର ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଜୟନ୍ତପୁର ପଞ୍ଚାୟତର ମହିଳା ସରପଞ୍ଚ ମନରେଗା ଯୋଜନାରେ ମାଟି କାମ କରୁଥିବା ଶ୍ରମିକଙ୍କ ସହ ମିଶି ମାଟି ବୋହି ଏକ ନିଆଁରା ଉଦାହରଣ ସୃଷ୍ଟି କରିଛନ୍ତି। ଜୟନ୍ତପୁର ପଞ୍ଚାୟତର ଖଲିଆକଟା ବନ୍ଧ ମାଟିକାମ ବର୍ତ୍ତମାନ ମନରେଗା ଯୋଜନାରେ ଚାଲୁଅଛି। ଆଜି ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ ବନ୍ଧ କାର୍ଯ୍ୟ ନିକଟରେ ପହଞ୍ଚି ଶ୍ରମିକ ପରିବାର ସହ ମିଶି ମାଟି ବୋହି ସେମାନଙ୍କୁ ଉତ୍ସାହିତ କରିବା ସହ ସରପଞ୍ଚ ହେଲେ ବି ଜଣେ ମଣିଷ, ଶ୍ରମିକ ମାନେ ହେଉଛନ୍ତି ଆମ ପଞ୍ଚାୟତର ମେରୁଦଣ୍ଡ ସେମାନଙ୍କ ବିନା କୌଣସି ଉନ୍ନୟନ କାର୍ଯ୍ୟର ପରିକଳ୍ପନା ଅସମ୍ଭବ ବୋଳି କହିଛନ୍ତି। ଆଜି ଶ୍ରମିକଙ୍କ ସହ ମିଶି ମାଟି ବୋହି ନିଜକୁ ନିଜେ ବହୁତ ଖୁସି ଅନୁଭବ କରିବା ସହ ଆମେ ସମସ୍ତେ ସମାନ ବୋଲି କହିଛନ୍ତି ସରପଞ୍ଚ ଜଣକ।