କେସିଙ୍ଗା ; ଆରମ୍ଭରୁ ଝୁନ୍ତିଲାଣି ମ୍ୟୁନିସିପାଲଟି ପ୍ରକ୍ରିୟା

  • ଆମେ କେସିଙ୍ଗା ସଙ୍ଗେ ନାଇ ମିସୁ
  • ଜୋର ଜବରଦସ୍ତି କଲେ ହେବ ଆନ୍ଦୋଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପରିଷଦ ମାନ୍ୟତା ପ୍ରଦାନ ପାଇଁ ଅନେକ ଦିନ ହେଲା ଦାବୀ ହେଉଥିଲେ ମଧ୍ୟ ତାହା ଫଳପ୍ରଦ ହେଉ ନଥିଲା। କେସିଙ୍ଗାର ଅନେକ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ସରକାରଙ୍କୁ ଦାବୀ ପତ୍ର ସହ ତର୍କ ସଂଗତ କାଗଜ ପତ୍ର ପ୍ରଦାନ ପରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପୌରପରିଷଦ ମାନ୍ୟତା ପାଇଁ ପ୍ରକ୍ରିୟା। ଏହି ମର୍ମରେ କେସିଙ୍ଗା ସହରକୁ ଲାଗି ରହିଥିବା କିଛି ପଞ୍ଚାୟତର ୱାର୍ଡ କୁ ପୌରପରିଷଦରେ ମିଶାଇବା ପାଇଁ ପଲ୍ଲୀସଭା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଉକ୍ତ ୱାର୍ଡ ମାନଙ୍କରେ ସରପଞ୍ଚ ମାନଙ୍କ ସଭାପତିତ୍ବରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୱାର୍ଡ ବାସୀଙ୍କ ଉପସ୍ଥିତିରେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା। ସମସ୍ତ ପଲ୍ଲୀ ସଭାରେ ପ୍ରାୟତଃ ପଞ୍ଚାୟତ ୱାର୍ଡ ବାସୀ ପୌରପରିଷଦରେ ମିଶିବାକୁ ସହମତି ପ୍ରକାଶ କରିଥିବା ବେଳେ ତହସିର ଗ୍ରାମ ପଞ୍ଚାୟତର ୱାର୍ଡ ନ ୧୨ ଓ ୧୩ ଅଧିନସ୍ଥ କୁର୍ଲୁପଡ଼ା ଓ ନୂଆପଡ଼ା ୱାର୍ଡବାସୀ ପ୍ରସ୍ତାବିତ ପୌରପରିଷଦରେ ସାମିଲ ହେବା ପାଇଁ ରୋକ ଠୋକ ମନା କରି “ଆମେ କେସିଙ୍ଗା ସଙ୍ଗେ ନାଇ ମିଶୁ” ବୋଲି କହି ଜୋର ଜବରଦସ୍ତି ଆମକୁ ବାଧ୍ୟ କରାଗଲେ ଆମେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।