୩୧ମାସ ହେଲା କୋଣାର୍କ ସୂତାକଳ ଶ୍ରମିକ ପାଇ ନାହାନ୍ତି ପାରିଶ୍ରମିକ

ଆଶ୍ଵାସନା ମିଳୁଛି, ମିଳୁନି ବାକେୟା ଦରମା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ବିଗତ ଚାରି ଦଶନ୍ଧି ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳରେ କାର୍ଯ୍ୟରତ କିଛି କର୍ମଚାରୀ ୩୧ ମାସ ହେଲାଣି ଦରମା ନ ପାଇ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉଚ୍ଚ ଅଧିକାରୀଙ୍କୁ କହି କହି ଥକି ଗଲେଣି ହେଲେ ଅଧିକାରୀଙ୍କ ଠାରୁ କେବଳ ମିଳୁଛି ଆଶ୍ଵାସନା। ଆଶ୍ଵାସନା ପାଇ ପାଇ ଦୀର୍ଘ ୩୧ ମାସ ହେଲା ପରେ ମଧ୍ୟ ମିଳୁଛି ଆଉଥରେ ଆଶ୍ଵାସନା। ଶେଷରେ ସୋମବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରିସରରେ ଜିଲ୍ଲାପାଳ ଜନଶୁଣାଣୀରେ କିଛି ସୁଫଳ ମିଳିବା ଆଶା ନେଇ ଶ୍ରମିକ ମାନେ ଯାଇ ଜନଶୁଣାଣୀରେ ନିଜର ଦୁଃଖ କଷ୍ଟ ଜିଲ୍ଲାପାଳଙ୍କୁ କହିବା ପରେ ଜିଲ୍ଲାପାଳଙ୍କ ଠାରୁ ପୁଣି ମିଳିଲା ଆଶ୍ଵାସନା। ଜିଲ୍ଲାପାଳ ଶ୍ରମିକ ମାନଙ୍କୁ ଉପରକୁ କାଗଜ ପତ୍ର ପଠାଯାଇଛି, ପଇସା ଆସିଲେ ଦରମା ମିଳିବ ବୋଲି କହିଥିବା ଜଣାପଡିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଜିଲ୍ଲା ଜିଲ୍ଲା ଗସ୍ତକରି ଅଭିଯୋଗ ଶୁଣାଣି ଓ ଆଶୁସମାଧାନ କରି ବୁଲୁଥିବାବେଳେ ତାଙ୍କ ବାବୁମାନେ ସମସ୍ତ ସମସ୍ୟାର ସମାଧାନ ହେଉଥିବା କହୁଛନ୍ତି। କିନ୍ତୁ କୋଣାର୍କ ସୂତାକଳର ଗରିବ ଶ୍ରମିକ ମାନଙ୍କ ୩୧ ମାସର ଦରମା କଥା ଅଭିଯୋଗ ଶୁଣାଣୀରେ ଅଭିଯୋଗ କଲେ ମିଳୁଛି କେବଳ ଆଶ୍ଵାସନା। ଯାହାକୁ ନେଇ କ୍ଷେଭ ପ୍ରକାଶ କରିଛନ୍ତି ପ୍ରାପ୍ୟ ପାଇ ନଥିବା ସୂତା କଳର ଶ୍ରମିକ। ଆଶା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ କେବେ ଏହି ଶ୍ରମିକ ମାନଙ୍କ ପାରିଶ୍ରମିକ ପାଉଣା ମିଳୁଛି ଅପେକ୍ଷା  ରହିଲା।