ବଫଲା ମାଳି ଖଣି ଖନନ ପ୍ରସଙ୍ଗ

  • କମ୍ପାନୀ ଏବଂ ପ୍ରଭାବିତ ଗ୍ରାମବାସୀଙ୍କୁ ନେଇ ଜନ ଶୁଣାଣି 
  • ପ୍ରଶାସନର ମଧ୍ୟସ୍ଥତାରେ ଆଲୋଚନା 
  • କମ୍ପାନୀରେ ନିଯୁକ୍ତି ଓ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ 

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦୀପ ପଣ୍ଡା : ବଫଲା ମାଳି ଖଣି ଖନନ ଦ୍ବାରା ପ୍ରଭାବିତ ଗ୍ରାମବାସୀ, ଜିଲ୍ଲା ପ୍ରଶାସନ ଏବଂ ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନେଇ ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଡିଓ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା,ପିଏ ଆଇ.ଟି.ଡି.ଏ ପ୍ରଦ୍ୟୁମ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ବଫଲା ମାଳିରୁ ବକ୍ସାଇଟ ଉତ୍ତୋଳନ ପାଇଁ ଉତ୍କଳ ଆଲୁମିନା କମ୍ପାନୀ ଖଣି ଖନନ କାର୍ଯ୍ୟ ଜାରି ରଖିଛି। ଏହି ମାଳିର ପରିପାର୍ଶ୍ବରେ ଥିବା ଗାଁ ଗୁଡିକ ବିଶେଷ ପ୍ରଭାବିତ ହେଉଥିବା ବେଳେ ଏଠାରେ ବସବାସ କରୁଥିବା ଲୋକଙ୍କ ତଥା ସେହି ଗାଁ ଗୁଡ଼ିକର ବିକାଶ ପାଇଁ ସରକାର କମ୍ପାନୀ ଏବଂ ପ୍ରଭାବିତ ଅଞ୍ଚଳ ବାସୀଙ୍କ ପାରିପାର୍ଶ୍ବିକ ବିକାଶ ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା। କିନ୍ତୁ ପ୍ରଭାବିତ ଅଞ୍ଚଳରେ ଏବେବି ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ, ପାନୀୟ ଜଳ ଏବଂ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ତଥା ବେରୋଜଗାରୀଙ୍କୁ ନିଯୁକ୍ତି ପ୍ରଦାନ ଏବଂ କର୍ମ ସଂସ୍ଥାନ ଯୋଗାଇବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଆସୁଛି ଉତ୍କଳ ଆଲୁମିନା କମ୍ପାନୀ। ଯାହାକୁ ନେଇ ପ୍ରଭାବିତ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଖଣି ଖନନକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ଖଣି ଖନନ ପୁର୍ବରୁ ଅଞ୍ଚଳ ବାସୀଙ୍କ ଦାବି ପୂରଣ ପାଇଁ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କରିପାରିନଥିବା ଅଭିଯୋଗ ହୋଇ ଆସୁଛି। ବିଭିନ୍ନ ସମୟରେ କମ୍ପାନୀ ଏବଂ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ କଳହ ତଥା ଗଣ୍ଡଗୋଳ ହେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଯେଉଁଥିରେ କମ୍ପାନୀ କର୍ତ୍ତୃପକ୍ଷ ଲୋକଙ୍କ ଉପରେ ବିଭିନ୍ନ ଆରୋପ ଲଗାଉଥିବା ଅଭିଯୋଗ ମଧ୍ୟ ଆସିଥାଏ। ଏସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ବାରମ୍ବାର ବାରମ୍ବାର ଦ୍ବାରସ୍ଥ ହେଉଥିଲେ। ଏସବୁ ସମସ୍ୟାର ସମାଧାନ ସ୍ବରୂପ ବୁଧବାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବଫଲା ମାଳି ପ୍ରଭାବିତ ଅଞ୍ଚଳବାସୀ ଏବଂ ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା।

ପୁର୍ବରୁ ୧୩ ଗୋଟି ସମ୍ବଳିତ ଦାବିପତ୍ର ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନା କରାଯାଇଥିବା ବେଳେ ଉକ୍ତ ଦାବିଗୁଡକ ମଧ୍ୟରୁ ଗୋଟିଏ ପରେ ଗୋଟିଏ ଦାବି ଉପରେ କମ୍ପାନୀ କର୍ତ୍ତୃପକ୍ଷ ଉତ୍ତର ରଖିଥିଲେ ଏବଂ ଏହାର ସମାଧାନ ଦିଗରେ ଆଲୋଚନା ମଧ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବିଡିଓ ଧୃବ ଚରଣ ମୁଦୁଲି, ତହସିଲଦାର ନିରାଜ କୁମାର ବାତ୍ରା, ଅତିରିକ୍ତ ତହସିଲଦାର ବିଶ୍ଵଜିତ କରକରା, ଡି.ଏମ୍.ଏଫ୍ ଟିଏଲ ପ୍ରଶାନ୍ତ ମିଶ୍ର, ଏ.ପି.ଡ଼ି ଅମୂଲ୍ୟ ବାଉଲ, ଉତ୍କଳ ଆଲୁମିନା ମାଇନ୍ସ ମ୍ୟାନେଜର ଅମର ଭାରତୀ, ସିଏସଆର ମୁଖ୍ୟ ମନୋଜ ଦାଶ, ଏଚ୍ଆର୍ ମୁଖ୍ୟ ଲକ୍ଷ୍ମୀ ବେହେରା, ସିକ୍ୟୁରିଟି ମୁଖ୍ୟ ଦେବଜ୍ୟୋତି ମହାପାତ୍ର, ସିଏସଆର ସଂଯୋଜକ ସୁଶାନ୍ତ ଧଳ, ବିନୋଦ ପୁଝାରି, ପ୍ରଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବଫଲା ମାଳି ପ୍ରଭାବିତ ତିନୋଟି ପଞ୍ଚାୟତ ଯଥା ମାଳି ଗାଁ,ଅଡ୍ରୀ ଏବଂ ଗୋପୀନାଥପୁର ର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଶତାଧିକ ଲୋକେ ଉପସ୍ଥିତ ଥିଲେ।