ଦୂର ହେଲା ତୁନଗାଁ ତିନୋଟି ପଡାର ଜଳ ସମସ୍ୟା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମ ପଞ୍ଚାୟତର ତୁନଗାଁ ଗ୍ରାମର କନ୍ଦାବୁଟୁରା ଯିବା ଛକରେ ଥିବା ଗୋଟିଏ ନଳକୂପ ଉପରେ ପଟେଲପଡା, ରଣାପଡା ଓ ଜଗନ୍ନାଥ ମନ୍ଦିରପଡ଼ାରେ ଲୋକେ ପାନୀୟ ଜଳ ପାଇଁ ନିର୍ଭର କରୁଥିଲେ। ତେବେ ଏହି ନଳକୂପ ପର୍ଯ୍ୟାପ୍ତ ପରିମାଣରେ ପାଣି ଦେଇ ପାରୁ ନଥିଲା। ଯାହା ଫଳରେ ଉକ୍ତ ପଡ଼ାରେ ଜଳ ସଂକଟ ଦେଖାଦେଇଥିଲା। ପାଣି ମୁନ୍ଦେ ପାଇଁ ପଡାବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ସମ୍ବନ୍ଧରେ କ୍ରାନ୍ତିକ୍ଷେତ୍ର ନ୍ୟୁଜ୍  ପୋର୍ଟାଲ ରେ ଗତ ୧୨ ତାରିଖରେ ଏକ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ବିଭାଗୀ ଅଧିକାରୀଙ୍କୁ ଅବଗତ କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ। ତୋରିତ୍ବ ପଦକ୍ଷେପ ସ୍ବରୂପ ପ୍ରଶାସନ ସ୍ଥିତି ପରିଖିବା ସହ ନଳକୂପର ଗଭୀରତାକୁ ବୃଦ୍ଧି କରିଛି। ପୂର୍ବରୁ ନଳକୂପର ଗଭୀର ୧୪୦ ଫୁଟ ଥିବାବେଳେ ବର୍ତ୍ତମାନ ଆହୁରୀ ୩୦ ଫୁଟ୍ ଅର୍ଥାତ୍ ୧୭୦ ଫୁଟକୁ ବୃଦ୍ଧି କରାଯାଇ ଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଏହି ନଳକୂପ ଗଭୀରତା ବୃଦ୍ଧି ହେବାପରେ ତୁନଗାଁ ଗ୍ରାମର ପଟେଲପଡା, ରଣାପଡା ଓ ଜଗନ୍ନାଥ ମନ୍ଦିରପଡ଼ାର ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇଛି।