କେସିଙ୍ଗାରେ କେବେ କାର୍ଯ୍ୟକ୍ଷମ ହେବ ବ୍ଲଡ ବ୍ୟାଙ୍କ ୟୁନିଟ 

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁଦୃଷ୍ଟି କେବେ ପଡିବ କେସିଙ୍ଗା ମେଡିକାଲ ଉପରେ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ସଂପ୍ରତି କଳାହାଣ୍ଡି ଜିଲ୍ଲାରେ ଥିବା ହସ୍ପିଟାଲ ମାନଙ୍କ ମଧ୍ୟରେ ଭବାନୀପାଟଣା, ଧର୍ମଗଡରେ ବହୁତ ଆଗରୁ ବ୍ଲଡ଼ ବ୍ୟାଙ୍କ ସହିତ ରକ୍ତ ସଂରକ୍ଷଣ ଏକକ ସ୍ଥାପନ ହୋଇସାରିଥିଲେ ମଧ୍ୟ ଜିଲ୍ଲାର ଜୁନାଗଡ଼ ଓ କେସିଙ୍ଗା ରହିଯାଇଥିଲା। ବର୍ତ୍ତମାନ ଜୁନାଗଡ଼ ବିଧାୟକଙ୍କ ହସ୍ତକ୍ଷେପ ପରେ ଜୁନାଗଡ଼ରେ ଅତିଶୀଘ୍ର ରକ୍ତ ସଂରକ୍ଷଣ ଏକକ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳି ସାରିଥିବାବେଳେ କେବଳ ଜିଲ୍ଲାରେ କେସିଙ୍ଗା ହିଁ ବାକିରହିଗଲା। ଜିଲ୍ଲାର ପ୍ରମୁଖ ହାତଗଣତି ମେଡିକାଲ ମଧ୍ୟରୁ କେସିଙ୍ଗା ମେଡିକାଲ ଅନ୍ୟତମ, ଯାହା ଉପରେ କେସିଙ୍ଗା ସହରର ପ୍ରାୟ ୩୦ ହଜାର ଲୋକଙ୍କ ସମେତ ୨୬ ଟି ଗ୍ରାମପଞ୍ଚାୟତର ଲୋକ ଏବଂ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳର ଏକମାତ୍ର ଭରଷା କେସିଙ୍ଗା ମେଡିକାଲ। ହେଲେ ବର୍ତ୍ତମାନ ସରକାରଙ୍କ ଦୃଷ୍ଟି ନାହିଁ କେସିଙ୍ଗା ମେଡିକାଲ ଉପରେ, ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଛି କେସିଙ୍ଗା ମେଡିକାଲର ବିଭିନ୍ନ ସମସ୍ୟା ଉପରେ ଖବର। ଖାଲି ପଡ଼ିଛି ବିଭିନ୍ନ ବିଭାଗର ବିଶେଷଜ୍ଞ ପଦବୀ ସହିତ ଦେଖାଯାଉଛି ଅନେକ ସମସ୍ୟା। ଅବ୍ୟବସ୍ଥା ଘେରରେ କେସିଙ୍ଗା ମେଡିକାଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ନୂତନ ସରକାର ଗଠନ ହୋଇ ପାଖାପାଖି ବର୍ଷେ ହେଲାଣି କିନ୍ତୁ କେସିଙ୍ଗା ମେଡିକାଲ ପ୍ରତି ସତେଲା ବ୍ୟବହାର ହେଉଛି ବୋଲି ସହରରେ ଚର୍ଚ୍ଚା ହେଉଛି। ଯଥା ଶୀଘ୍ର କେସିଙ୍ଗା ମେଡିକାଲର ରକ୍ତ ସଂରକ୍ଷଣ ଏକକ କାର୍ଯ୍ୟକାରୀ କରିବା ସହ ଅବ୍ୟବସ୍ଥା ଦୂର କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।