ଓଡ଼ିଶା -ଛତିଶଗଡ଼ ଅବକାରୀ ପୋଲିସର ମିଳିତ ଚଢାଉ

ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ ନାଏକ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ଅଞ୍ଚଳରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ବିଷାକ୍ତ ଖଜୁରୀ ତାଡି ଓ ମହୁଲି ହାତ ରନ୍ଧା ମଦ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନୂଆପଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ବ୍ଲକ ର ସୀମାନ୍ତବର୍ତ୍ତି ଘାଟମାଳ ଗ୍ରାମ ପଞ୍ଚାୟତ ର ତାଲାକୋଟ ସ୍ଥିତ ଭାନସିପଡ଼ା ଓ ନଙ୍ଗଲବୋଡ ଗ୍ରାମ ପଞ୍ଚାୟତ ର ଭଟ୍ଟାପାଣି ଓ ନଙ୍ଗଲବୋଡ ଗ୍ରାମରେ ଚଢ଼ାଉ କରି ଦୁଇ ଜଣଙ୍କ ଠାରୁ ପ୍ରାୟ ୪୦୦ ଲିଟର ବିଷାକ୍ତ ଖଜୁରୀ ତାଡି ଓ ଅନ୍ୟ ଜଣଙ୍କ ଠାରୁ ପ୍ରାୟ ୧୫ ଲିଟର ହାତ ରନ୍ଧା ମହୁଲି ମଦ ଜବତ କରାଯାଇଥିବା ସିନାପାଲି ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ର ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଥୁମାଲା ଥିରୁମାଲେଶା ଠାରୁ ୩୦୦ ଲିଟର ଓ ଥଣ୍ଡା ସେୟୁକ୍ ଠାରୁ ୧୦୦ଲିଟର ତାଡି ଜବତ କରାଯାଇଥିବା ବେଳେ ସୁଦୂର ଆନ୍ଦ୍ରପ୍ରଦେଶ ଅଞ୍ଚଳ ରୁ ଆସି ଏଠାରେ ଖଜୁରୀ ତାଡି ବିକ୍ରି କରୁଥିବା ଜଣାପଡିଛି। ସେହିପରି ସ୍ଥାନୀୟ ଭାନସିପଡ଼ା ଗ୍ରାମର ବୁଆରୀ ମାଝି ଠାରୁ ୧୫ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ସିନାପାଲି ଅବକାରୀ ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉ ରେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଅତିରିକ୍ତ ଅବକାରୀ ଅଧିକ୍ଷକ ଲଳିତ ଦିୱାନ, ଗରିଆବନ୍ଧ ଅବକାରୀ ଅଧିକାରୀ ନାଗେଶରାଜ ଶ୍ରୀବାସ୍ତବ, ସୋମନାଥ ବାଗ, ସିନାପାଲି ଅବକାରୀ ଅଧିକାରୀ ସିଦ୍ଧାନ୍ତ ପାତ୍ର, ଖଡିଆଳ ଅବକାରୀ ଅଧିକାରି ଅଲେଖ ପୁଟେଲ, ଏ ଏସ ଆଇ ସୋନା ମାଝି, ମଳୟ ମହାଲିଙ୍ଗ, ମୁରଲୀଧର ଶବର, ରିତାଞ୍ଜଳି ଶବର, ଅମର ବିଶୋଇ, ଗିରେନ୍ଦ୍ର କଣ୍ଟା, ପ୍ରଶାନ୍ତ ନାଏକ, ହେମବାଇ ସାହୁ, ମନିସ କଶ୍ୟପ ପ୍ରମୁଖ ସାମିଲ ହୋଇଥିଲେ।