ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସ୍ଥାନୀୟ ବିନାୟକ ଭବନ ପରିସରରେ ଆଜି ସାବିତ୍ରୀ ବ୍ରତ ପାଳନ ହୋଇଛି। ଉକ୍ତ ପୂଜାରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ସମସ୍ତ କିନ୍ନର ଯୋଗଦେଇ ଭାରତୀୟ ସୈନିକ ମାନଙ୍କ ସୁରକ୍ଷା ଓ ଦୀର୍ଘାୟୁ ନିମନ୍ତେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ସମସ୍ତ ମହିଳା ନିଜ ସ୍ୱାମୀର ଦୀର୍ଘାୟୁ କାମନା ନିମନ୍ତେ ପୂଜା କରୁଥିବାବେଳେ ନବରଙ୍ଗପୁର ଜିଲ୍ଲା କିନ୍ନର ମାନେ ଦେଶର ବୀର ସୈନିକ ମାନଙ୍କର ଦୀର୍ଘାୟୁ ସମେତ ଜଗତ କଲ୍ୟାଣ ନିମନ୍ତେ ପୂଜା କରିଥିବା ଜାଣି ସାଧାରଣ ଜନତ ଖୁସି ପ୍ରକଟ କରିବା ସାଥେ ସାଥେ ଏପରି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି। ପୂଜା ସମୟରେ ଜିଲ୍ଲା କିନ୍ନର ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ.ବାଲା କୃଷ୍ଣ ରାଓ ସମେତ ସଂଘର ଉପଦେଷ୍ଟା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ଵର୍ଣାଲତା ପଟ୍ଟନାୟକ, ଦୁର୍ଗା ପାଢ଼ୀ, ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ସଙ୍ଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୂମକି କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର ସମେତ ଜିଲ୍ଲାର କୋଣ ଅନୁକୋଣରୁ ଅନେକ କିନ୍ନର ଯୋଗ ଦେଇଥିଲେ।