ମହାନିୟତା ଦେଖାଇଲେ କୋକସରା ବ୍ଳକ ଉପାଧ୍ୟକ୍ଷ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦିର୍ଘ ବର୍ଷେରୁ ଉର୍ଦ୍ଧ୍ଵ ସମୟ ହେବ ନିଖୋଜ ହୋଇ ଏଣେ ତେଣେ ବୁଲୁଥିବା ଜଣେ ଭାଇକୁ ଉଦ୍ଧାର କରି ଭଉଣୀ ହାତରେ ଦେଇ ପୁଣି ଥରେ ମହାନିୟତା ଦେଖାଇଛନ୍ତି କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ। ଉଦ୍ଧାର ଯୁବକ ଜଣକ ଢେଙ୍କାନାଳ ଜିଲ୍ଳା ପରଜଙ୍ଗ ବ୍ଳକ କନ୍ଦରସିଆଁ ଗ୍ରାମର ମାତୃ ପ୍ରସାଦ ସାହୁ।

ବର୍ଷକ ପରେ ନିଖୋଜ ଭାଇଙ୍କୁ ପାଇଲା ଭଉଣୀ

ଗତ ଶନିବାର ସନ୍ଧ୍ୟାରେ ଜଣେ ଅଜଣା ଯୁବକ କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡାଠାରେ ଥିବା ଘଟଣା ଏକ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା। ଯୁବକ ଜଣକ ନିଜ ପରିଚୟ ସ୍ପଷ୍ଟ କହି ପାରୁ ନଥିବାବେଳେ ବାପା, ମା’ ଙ୍କ ନାମ ଓ ଜିଲ୍ଳାର ନାମ କହିପାରୁଥିଲେ। ଏହାକୁ ନେଇ ସାମ୍ବାଦିକ ହିରଣ୍ୟ ବେହେରା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଅବଗତ ହେବାପରେ ଯୁବକଙ୍କୁ ଉଦ୍ଧାର କରି ଲଡୁଗାଁ ସ୍ଥିତ ନିଜ ବାସଗୃହକୁ ଆଣି ସେବା ଯତ୍ନ କରି ବ୍ଲକ ପ୍ରଶାସନ ସହିତ ଯୁବକର ଚିକିତ୍ସା ଓ ଥଇଥାନ ବ୍ୟବସ୍ଥା ପାଇଁ ଯୋଗାଯୋଗ କରିଥିଲେ। ଯୁବକ ଜଣକ ନିଜ ପରିଚୟ କହିବା ପରେ ଗଣମାଧ୍ୟମ ଓ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ପରିବାର ଲୋକେ ନିଖୋଜ ଯୁବକର ସନ୍ଧାନ ପାଇ ଯୋଗାଯୋଗ କରି ଆଣିଆସିବା ପାଇଁ କହିଥିଲେ। ଦୀର୍ଘ ଏକ ବର୍ଷ ପରେ ନିଖୋଜ ଭାଇର ଖବର ପାଇ ଭଉଣୀ ନିରୁପମା ସାହୁ, ସମ୍ପର୍କୀୟ ଭାଇ ଚିନ୍ମୟ ବିଶ୍ୱାଳ, ସୁଧୀର ବିଶ୍ୱାଳ, ଅବିନାଶ ସାହୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ଲଡୁଗାଁ ସ୍ଥିତ ବାସଭବନରେ ସୋମବାର ପହଞ୍ଚିଥିଲେ। ନିଖୋଜ ଭାଇକୁ ପାଖରେ ପାଇ ଭଉଣୀ ଖୁସିରେ ଭାବବିହୁଳ ହୋଇପଡ଼ିଥିଲେ। ଏବଂ ଗଣମାଧ୍ୟମ ପ୍ରତିନିଧି ଓ ବ୍ଲକ ଉପାଧ୍ୟକ୍ଷଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ପରେ ବ୍ଲକ ଉପାଧ୍ୟକ୍ଷ ମାତୃ ପ୍ରସାଦଙ୍କୁ ଭଉଣୀ ପାଖରେ ହସ୍ତାନ୍ତର କରିଥିଲେ। ସୂଚନା ଯେ, ଗତ ବର୍ଷ ଏପ୍ରିଲ ୨୮ ତାରିଖଠାରୁ ମାତୃ ପ୍ରସାଦ ସାହୁ ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।