ବରକିଭଟ୍ଟାରେ ଗଢି ଉଠୁଛି ବେଆଇନ ଭାବେ ମାଲ ମାଲ ଷ୍ଟଲ ଘର

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୁଦେବ ଗଉଡ) : କିଛି ଅସାଧୁ ବ୍ୟବସାୟୀ ରାଜସ୍ବ ବିଭାଗ ସହିତ ଶଳା ସୁତରା କରି ଚକଳା ପଦର ପଂଚାୟତ ଅନ୍ତର୍ଗତ ବରକିଭଟ୍ଟା ଗ୍ରାମର ରାସ୍ତାର ଉଭୟ ପାର୍ଶ୍ଵରେ ମାଲ ମାଲ ଷ୍ଟାଲ ଘର ସବୁ ନିର୍ମାଣ କରିଚାଲିଛନ୍ତି। ଝରିଗାଁ ବ୍ଲକର ଚକଳାପଦର ପଂଚାୟତ ଏକ ଉପାନ୍ତ ଅଂଚଳ ହୋଇଥିବାବେଳେ ବିଶେଷକରି ଏହି ଅଂଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଏ ଅଂଚଳରେ ବସବାସ କରୁଥିବା ଆଦିବାସୀ ମାନଙ୍କ ପାଖରେ ଧାନ ବିଲ କମ ପରିମାଣର ରହିଥିବାବେଳେ ଡ଼ଙ୍ଗର ଜମି କିନ୍ତୁ ଯଥେଷ୍ଟ ପରିମାଣରେ ରହିଛି। ଯେଉଁଥିରେ ମକା, ବିରି, ମାଣ୍ଡିଆ, କୋଳଥ ଓ ଅନ୍ୟାନ୍ୟ ଶସ୍ୟ ସବୁ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସବୁଠାରୁ ପରିତାପର ବିଷୟ, ଅତ୍ୟଧିକ ଡଙ୍ଗର ଜମି ରହିଥିବାରୁ ସେମାନେ ଏତେ ଜମି ପାଇଁ ଟଙ୍କା ଖର୍ଚ୍ଚ କରି ଚାଷ କରି ପାରନ୍ତି ନାହିଁ। ଯାହାର ଲାଭ ଅସାଧୁ ବ୍ୟବସାୟୀ ମାନେ ଉଠେଇ ଚାଲିଛନ୍ତି। ଅସାଧୁ ବ୍ୟବସାୟୀ ମାନେ କମ ଟଙ୍କାରେ ଜମି ସବୁ ବନ୍ଦକ ରଖି ବିଭିନ୍ନ ପ୍ରକାର ରାସାୟନିକ ସାର ସବୁ ପ୍ରୟୋଗ କରି ମକା ଚାଷ କରି ବେଶ ଦୁଇ ପଇସା ରୋଜଗାର କରନ୍ତି। ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ କରି ଜମିର ଉର୍ବରତା ନଷ୍ଟ କରି ଦେଉଛନ୍ତି। ଚକଳା ପଦର ପଂଚାୟତ ଏକ ବଣ ଜଙ୍ଗଲ ଘେରା ଅଂଚଳ ହୋଇଥିବାରୁ ଅଂଚଳ ବାସି ଆବଶ୍ୟକ ସାର ଓ ବିହନ ପାଇଁ ଝରୀଗାଁ ବ୍ଲକ ସଦର ମହକୁମାକୁ ସବୁବେଳେ ଆସିବା ସମ୍ଭବ ହୋଇନଥାଏ, ତେଣୁ କିଛି ଅସାଧୁ ବ୍ୟବସାୟୀ ସେମାନଙ୍କ ଏହି ଦୁର୍ବଳତାର ଫାଇଦା ନେଇ ଗ୍ରାମେ ଗ୍ରାମେ ଘର କରି ଚଢା ଦରରେ ବିହନ ଓ ସାର ମଧ୍ୟ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଚକଳାପଦର ପଂଚାୟତର ବରକିଭଟ୍ଟା ଗ୍ରାମ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଷ୍ଟାଲ ଘର ବେଆଇନ ଭାବେ ସବୁ ନିର୍ମିତ ହେଉଥିବା ଦେଖିବାକୁ ମିଳୁଛି। ଘର ସବୁ ଛାତ ଲେବେଲ କୁ ପହଂଚି ଗଲାଣି ହେଲେ ପଂଚାୟତ ପ୍ରଶାସନ ପାଖରେ ଖବର ନାହିଁ। ଏହି ଷ୍ଟାଲ ସବୁ କିଏ ନିର୍ମାଣ କରୁଛି ଓ କେଉଁ ଉଦ୍ଦେଶ୍ୟରେ କରୁଛି ବୋଲି ପଚାରିବାରୁ ଝରୀଗାଁ ବନ ବିଭାଗ ଆମ ଅଧୀନରେ ଏ ଜାଗା ଜମି ଯାଉନାହିଁ, ତେଣୁ ଏ ଉପରେ ତଦନ୍ତ କରିବା ଆମ ପରିସରଭୁକ୍ତ ନୁହେଁ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି। ସେହିପରି ରାଜସ୍ଵ ବିଭାଗର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ୍ ରିସିଭ ନକରିବାରୁ ମତାମତ ମିଲିପାରି ନାହିଁ। ଅନ୍ୟପକ୍ଷେ ସାର ବିହନ ଓ ଅନ୍ୟାନ୍ୟ କୀଟ ନାଶକ ଔଷଧ ବିକ୍ରି କରିବା ଉଦ୍ଧେଶ୍ୟରେ କିଛି ସମ୍ପ୍ରଦାୟର ବ୍ୟବସାୟୀ ଏହି ଷ୍ଟାଲ ଘର ସବୁ ନିର୍ମାଣ କରୁଛନ୍ତି ବୋଲି ଗ୍ରାମର ଜନସାଧାରଣ ଅଭିଯୋଗ କରିଛନ୍ତି। ତେଣୁ  ପ୍ରଶାସନ ଏ କାର୍ଯ୍ୟର ତଦାରଖ କରିବା ସହ ଅସାଧୁ ବ୍ୟବସାୟୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।