କେସିଙ୍ଗା ମେଡିକାଲରେ ୪ ମାସ ହେବ ବନ୍ଦ ରହିଛି ସିଭିସି ଟେଷ୍ଟ

  • ମାତ୍ର କିଛି ଟଙ୍କାର ତାର ପୋଡ଼ି ଯାଇଛି ବୋଲି ଚାଲୁନି ମେସିନ
  • ମେଡିକାଲ ବାହାରେ ଟେଷ୍ଟ କରି ଲୋକେ ହେଉଛନ୍ତି ଖର୍ଚ୍ଚାନ୍ତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲର ସମସ୍ୟା ସମ୍ପର୍କରେ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରିତ ହେଉଥିଲେ ମଧ୍ୟ କୌଣସି ନିର୍ବାଚିତ ପ୍ରତିନିଧି କିମ୍ବା ବିଭାଗୀୟ ଉଚ୍ଚ ପଦାଧିକାରୀ ସମସ୍ୟାର ସମାଧାନ କରିବା ପାଇଁ ଆଗକୁ ଆସୁ ନାହାନ୍ତି। କେସିଙ୍ଗା ମେଡିକାଲକୁ ସରକାର ଭୁଲି ଗଲେଣି ବୋଲି ଅଞ୍ଚଳର ବୁଦ୍ଧିଜିବୀମାନେ ଚର୍ଚ୍ଚା କରୁଛନ୍ତି। କେତେବେଳେ ମେଡିକାଲର ସଫାସୁତୁରା କୁ ନେଇ ପ୍ରଶ୍ନଉଠିଛି ତ’ କେତେବେଳେ ଡାକ୍ତର ମାନେ ରୋଗୀ ମାନଙ୍କୁ ଭଲ ବ୍ୟବହାର କରୁନାହାଁନ୍ତି ବୋଲି ଅଭିଯୋଗ ହେଉଛି। ହେଲେ ବର୍ତ୍ତମାନ ଏତେ ବଡ କେସିଙ୍ଗା ମେଡିକାଲରେ ଚାରି ମାସ ହେଲାଣି ସିଭିସି ଟେଷ୍ଟ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ଅଭିଯୋଗର ସତ୍ୟା ସତ୍ୟ ଜାଣିବା ପାଇଁ ଆମେ କେସିଙ୍ଗା ମେଡିକାଲ ଯାଇ କାର୍ଯ୍ୟରତ ସିଭିସି ଟେଷ୍ଟ କରୁଥିବା ଅଧିକାରୀଙ୍କୁ ପଚାରିବାରୁ ସେ ଟେଷ୍ଟ ହେଉ ନଥିବା ମାନି ଥିଲେ। କିନ୍ତୁ ମାସେ ହେବ ମେସିନର ତାର ଛିଣ୍ଡି ଯିବାରୁ ଟେଷ୍ଟ ବନ୍ଦ ରହିଛି ବୋଲି ପ୍ରକାଶ କରିବା ସହିତ କେସିଙ୍ଗାରେ ତାର ମିଳୁନାହିଁ ବୋଲି କହିଥିଲେ। ଯୋଉ ତାରର ମୂଲ୍ୟ ବଜାରରେ ମାତ୍ର କିଛି ଟଙ୍କା ସେହି ତାର ଖଣ୍ଡେ ପୋଡ଼ି ଯିବାରୁ ମାସ ମାସ ଧରି ସିଭିସି ଟେଷ୍ଟ ହେଉନ ଥିବା କେତେ ଯୁକ୍ତିଯୁକ୍ତ ତାହା ଆଗାମୀ ଦିନରେ ଜଣାପଡ଼ିବ। ଏଠାରେ ପ୍ରକାଶ ଥାଉକି ସିଭିସି ଏହିପରି ଏକ ଟେଷ୍ଟ ଯାହା ୨୦ ରୁ ୨୨ ପ୍ରକାର ରକ୍ତ ଟେଷ୍ଟ ହୋଇଥାଏ। ପ୍ରତିଦିନ ରୋଗୀ ମେଡିକାଲ ଆସିଲେ ସିଭିସି ଟେଷ୍ଟ କରି ରିପୋର୍ଟ ଆଣିବାକୁ ଡାକ୍ତର କହୁଛନ୍ତି। ହେଲେ ସରକାରୀ ମେଡିକାଲ୍ ରେ ଟେଷ୍ଟ ନ ହେବାରୁ ଗରିବ ଖଟିଖିଆ ଲୋକ ମାନେ ବାଧ୍ୟ ହୋଇ ପ୍ରାୟ ୩ଶହ ଟଙ୍କା ଖର୍ଚ୍ଚ କରି ମେଡିକାଲ ବାହାରେ ଟେଷ୍ଟ କରି ରିପୋର୍ଟ ଆଣୁଛନ୍ତି। ଆମେ ଉକ୍ତ ବିଷୟ ଉପରେ ମେଡିକାଲ ଇନ୍ ଚାର୍ଜ ପ୍ରୟାଗ ପ୍ରତିଶ୍ରୁତି ମାଝୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମେଡମ୍ ଫୋନ୍ ରିଶିଭ କରିନ ଥିଲେ। ଯଥା ଶୀଘ୍ର ସିଭିସି ମେସିନ ଠିକ୍ କରିବା ପାଇଁ ସାଧାରଣରେ ଦାବୀ ହେଉଛି।