ଥୁଆମୂଲ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ରବି ନାରାୟଣ ସିଂହ) : ପାହାଡିଆ ଦୁର୍ଗମ ଆଦିବାସୀ ଗ୍ରାମାଞ୍ଚଳରେ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତ ବଢୁଥିବାବେଳେ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ପଦ ତିନି ବର୍ଷରୁ ଉର୍ଦ୍ଧ ହେଲାଣି ଖାଲିପଡ଼ିଛି। ଏଥିପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନି। ଏପରି ଏକ ଖବର ଦୁର୍ଗମ ଅଞ୍ଚଳ କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ବର୍ଷ ପୂର୍ବରୁ ବିଜୟ ନାୟକ ନାମକ ଏକ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦାୟିତ୍ଵ ଦିଆଯାଇଥିଲା। ତାଙ୍କ ବଦଳି ପରେ ଆଉ କାହାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାୟିତ୍ଵ ଦିଆଯାଉ ନାହିଁ। ଯାହା ଫଳରେ ଅଞ୍ଚଳବାସୀ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାର ସୁଯୋଗ ନେଇ ବାହାରିଆ ଲୋକେ ଅଭିଜ୍ଞତା ନଥିବା ବା ଡାକ୍ତରୀ, କି ଫାର୍ମାସିଷ୍ଟ ପ୍ରମାଣି କୃତ ସାର୍ଟିପିକେଟ୍ ପାଇ ନ ଥିବା ଲୋକ ମାନେ ମଧ୍ୟ ଆସି ଏହି ସରଳ ନିରୀହ ଜନସାଧାରଣଙ୍କୁ ମୋଟା ଅଙ୍କର ଅର୍ଥ ଠକି ନେଉଥିବା ଲୋକେ ଆଲୋଚନା କରୁଛନ୍ତି। କେବଳ ଥଣ୍ଡାଜ୍ଵର, ଓ ମ୍ୟାଲେରିଆ ଜ୍ଵର ହେଲେ ଗ୍ରାମାଞ୍ଚଳର ଆଦିବାସୀ ମାନଙ୍କୁ ଭୟଭୀତ କରାଇ ପାରାସିଟାମଲ୍, ଡା ଇକ୍ଲୋଉଇନ ଇଞ୍ଜେକସନ ଦେଇ ପନ୍ଦର ଶହ, ଦୁଇହଜାରରୁ ଉର୍ଦ୍ଧ ଟଙ୍କା ଠକି ନେଉଛନ୍ତି। କର୍ଲାପାଟରେ ନବ ନିର୍ମିତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ମଧ୍ୟ ମନ୍ଥର ଗତିରେ କାର୍ଯ୍ୟ ଚାଲୁଥିବାରୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ସୁବିଧା ହୋଇଯାଉଛି। ଏଥିପ୍ରତି ବାରମ୍ବାର ଅଭିଯୋଗ ପରେ ବି ବିଲଡିଂ କାମ ଶୀଘ୍ର ସରି ପାରୁନାହିଁ। କେବେ ଉକ୍ତ କୋଠା ସମ୍ପୂର୍ଣ୍ଣ ହେବ ଓ ସ୍ଵାସ୍ଥ୍ୟ କର୍ମୀ ନିୟମିତ ରହିବେ ଏବଂ ଲୋକେ କ୍ୱାକ ମାନଙ୍କ ଶୋଷଣ ରୁ ମୁକ୍ତ ହେବେ ତାହା ସମୟ କହିବ।