ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଢଗ ନାଏକ) : କିଛି ଦିନ ତଳେ ରାଜ୍ୟ କଂଗ୍ରେସ କମିଟି ଗଠନ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବରେ ମନୋନୀତ କରାଯାଇଛି। ଯାହାକୁ ନେଇ ଜିଲ୍ଲା କଂଗ୍ରେସ ମହଲରେ ଖୁସିର ଲହରୀ ଦେଖା ଦେଇଛି। ଇତି ପୂର୍ବରୁ ଶ୍ରୀନାଏକ ରାଜନୀତି କ୍ଷେତ୍ରରେ ୨୦୦୨ ମସିହାରେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇ ରାଜନୀତିରେ ପାଦ ଥାପିଥିଲେ। ପରେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷ ଭାବରେ ରହିଥିଲେ। ପୂର୍ବରୁ କଳାହାଣ୍ଡି ଲୋକସଭା ଯୁବ କଂଗ୍ରେସ ସଭାପତି, ଜିଲ୍ଲା କିସାନ କଂଗ୍ରେସ କମିଟିର ସଭାପତି ଦାୟିତ୍ୱରେ ମଧ୍ୟ କାର୍ଯ୍ୟ ତୁଲାଇ ଆସୁଥିଲେ। ବର୍ତମାନ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବରେ ମନୋନୀତ କରି ଚାରୋଟି ଜିଲ୍ଲାରେ କଂଗ୍ରେସକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ଦାୟିତ୍ୱ ଅର୍ପଣ କରିଛନ୍ତି। ଗଞ୍ଜାମ ଇଷ୍ଟ, ଗଞ୍ଜାମ ୱେଷ୍ଟ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର କଂଗ୍ରେସକୁ ସୁଦୃଢ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଆସ୍ଥା ପ୍ରକଟ କରି ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଭାର ସହିତ ଚାରିଟି ଜିଲ୍ଲାର ପ୍ରଭାରୀ ମନୋନୀତ ହେଲା ପରେ ଶ୍ରୀନାଏକ ଏଆଇସିସି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, କେସି ବେନୁଗୋପାଳ, ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଭରତ ବେମାଲଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତଙ୍କୁ ନେଇ କଂଗ୍ରେସ ସଂଗଠନକୁ ମଜଭୁତ କରିବା ତାଙ୍କ ର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।