ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଓଡିଶା ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ନିଜର ବାହା ବାହା ନେଉଥିବା ଭାଜପା ସରକାର ପ୍ରକୃତ ପକ୍ଷେ ଚାଷୀଙ୍କୁ ଧୋକା ଦେଇଛି ବୋଲି ଅଭିଯୋଗ କରିଛି ସମାଜବାଦୀ ପାର୍ଟି । ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଏକ ପ୍ରେସ୍ ବିବୃତି ଦେଇ କହିଛନ୍ତି ଯେ ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡିଶାର ଚାଷୀଙ୍କୁ ସରକାର ଧୋକା ଦେଇଛନ୍ତି। ଚାଷୀଙ୍କଠାରୁ ବିନା କଟନୀ ଛଟନିରେ ଧାନ ନେବା ପାଇଁ ସରକାରୀ ଗାଇଡଲାଆଇନ ଥିବାବେଳେ ମଣ୍ଡି ଗୁଡିକରେ ଏଫ୍ଏକ୍ୟୁ ମାନ ଦର୍ଶାଇ କୁଇଣ୍ଟାଲ ପିଛା ୫ କିଲୋ ଧାନ କାଟିବା ଦୁର୍ଭାଗ୍ୟ ପୁର୍ଣ୍ଣ। ଏଥି ସହିତ ଅଦିନିଆ ବର୍ଷା ଏବଂ କାଳବୈଶାଖୀ ମଧ୍ୟ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ମଣ୍ଡିକୁ ଧାନ ଆଣୁଥିବା ଚାଷୀଙ୍କ ଧାନକୁ ସଂରକ୍ଷଣ କରିବାକୁ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ବର୍ଷାରେ ଧାନ ଓଦା ହେଉଛି, ଏହାର ଫାଇଦା ନେଇ ମଣ୍ଡି ଦଲାଲ ମାନେ ଏହି ଧାନ ଏଫ୍ଏକ୍ୟୁ ମାନର ନୁହେଁ ବୋଲି ଦର୍ଶାଇ ଚାଷୀଙ୍କୁ ଲୁଟ କରୁଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଦୃଢ ପଦକ୍ଷେପ ନେବା ସହ ମଣ୍ଡି ଦଲାଲଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ଦେଶରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଘଟିଥିବା ସତ୍ତ୍ୱେ କ୍ଷିର ଉତ୍ପାଦର କୌଣସି ମୂଲ୍ୟବୃଦ୍ଧି ଘଟିନାହିଁ। ସରକାରୀ ଚାକିରିଆଙ୍କ ବେତନ ହାର ହେଉ କି ସୁନା, ରୁପା ହେଉ ସମସ୍ତ ସାମଗ୍ରୀର ସମୟ କ୍ରମେ ମୂଲ୍ୟ ବୃଦ୍ଧି ଘଟୁଥିଲେ ହିଁ ଚାଷୀର ଉତ୍ପାଦର ମୂଲ୍ୟବୃଦ୍ଧିରେ ସେଭଳି କୌଣସି ବୃଦ୍ଧି ଘଟିବା ପରିଲକ୍ଷିତ ହେଉନାହିଁ। ଏଣୁ ଗରିବ ଚାଷୀର ଜୀବିକା ଧାର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧ ଶହ ପରିବର୍ତ୍ତେ ୬ ହଜାର ଟଙ୍କା କରିବାକୁ ସେ ଦୃଢ ଦାବି କରିଛନ୍ତି।