କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦେପୁର ଗ୍ରାମରେ ଚାଞ୍ଚଲ୍ୟ କର ଘଟଣା ଘଟିଛି। ନିଖୋଜ ବୃଦ୍ଧ ରୁପସିଂ ମାଝି(୬୫ବର୍ଷ)ଙ୍କ ମୁଣ୍ଡ ବିହୀନ ଶବ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ, ଦେପୁର ଗ୍ରାମର ରୂପସିଂ ମାଝୀ ଗତ ୧୮ ତାରିଖ ସନ୍ଧ୍ୟା ସମୟରୁ ନିଖୋଜ ଥିବା ନେଇ ପରିବାର ଲୋକେ କଲମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ଘଟଣାର କିଛି ଦିନ ପରେ ଗାଁ ନିକଟରେ ଥିବା ବୈଝାଲି (ବନ୍ଧ) ସାଗର ଆଖପାଖରେ ରକ୍ତ ଛିଟା ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପଞ୍ଚାୟତ ନିକଟରେ ରୂପସିଂର ଟଙ୍କା ପଇସା ଓ ବସ୍ତ୍ର ଦେଖିଥିଲେ। ପରେଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ପୂନଃର୍ବାର ଏତଲା କଲେ। ଏତଲା ଅନୁସାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରେ ଶବ ଫିଙ୍ଗା ଯାଇଥିବା ସନ୍ଦେହ କରି ପରିବାର ଲୋକଙ୍କ ଅଭିଯୋଗ କ୍ରମେ କଲମପୁର ଅଗ୍ନିଶମ ବାହିନୀ ଓ ବଲାଙ୍ଗୀର ଓଡ୍ରାଫ ଟିମକୁ ଡକାଇ ଦୁଇଦିନ ପର୍ଯ୍ୟନ୍ତ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ନିଖୋଜ ବ୍ୟକ୍ତିର ସୂରାଗ ମିଳିନଥିଲା। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ନମୁନା ସଂଗ୍ରହ ସହିତ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେl ଘଟଣାକୁ ଗୁରୁତ୍ତର ସହ ନେଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା, ଜୁନାଗଡ଼ ଓ କଲମପୁର ପୋଲିସକୁ ନେଇ ଏକ ଟିମ ଗଠନ କରାଯାଇ ଗାଁରୁ ଫେରାର ମାରିଥିବା କିଛି ଯୁବକଙ୍କୁ ଖୋଜାଖୋଜି କରିଥିଲା। କିଛି ସୁରାଗ ପାଇ ପୋଲିସ ଦେପୁର ଗ୍ରାମର ଲିଙ୍ଗରାଜ ମାଝୀ ଏହି ଘଟଣାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେl ପରେ ଗୋଆ ପୋଲିସର ସହଯୋଗ ନେଇ ପୋଲିସ ଟିମ୍ ଅଭିଯୁକ୍ତ ଲିଙ୍ଗରାଜକୁ ଗୋଆରୁ ଧରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ଲିଙ୍ଗରାଜକୁ ଗାଁକୁ ଆଣି ବୁଧବାର ସକାଳୁ ତଦନ୍ତ ଜାରି ରଖିଥିଲେl ଅଭିଯୁକ୍ତ ଲିଙ୍ଗରାଜ ରୂପସିଂଙ୍କୁ ମାରି ଗାଁର ବଡ଼ବନ୍ଧ ପୋଖରୀରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲା। ଏନେଇ ପୋଖରୀରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ବଲାଙ୍ଗୀର ଓଡ୍ରାଫ ଟିମ, ସନ୍ଧନୀ କୁକୁର ସହ ପୋଲିସ ଫୋର୍ସର ଉପସ୍ଥିତରେ ଖୋଜାଖୋଜି କରିଥିଲେ। ଅଭିଯୁକ୍ତ କହିବା ଅନୁସାରେ ପୋଖରୀରୁ ମୁଣ୍ଡ ବିହନ ଶବ ଉଦ୍ଧାର କରାଯାଇଥିଲା। କିନ୍ତୁ ଅଭିଯୁକ୍ତକୁ ଯେତେ ପଚାରିଲେ ଏବଂ ଯେତେ ଖୋଜାଖୋଜି କଲେ ମଧ୍ୟ ଏଯାଏଁ ମୁଣ୍ଡ ମିଲିନାହିଁ। ତଥାପି ମୁଣ୍ଡ ଖୋଜା ଜାରି ରହିଛିl ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଗୁଣିଗାରିଡ଼ିକୁ ସନ୍ଧେହ କରି ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ମୃତକଙ୍କ ଘର ଲୋକେ ହତ୍ୟାକାଣ୍ଡ ପଛରେ ଆଉ କିଏ କିଏ ରହିଛନ୍ତି ତାହାର ତଦନ୍ତ ସହ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି। ଗାଁ ରେ ଶୃଙ୍ଖଳାଗତ ଭାବେ ତଦନ୍ତ ପ୍ରକ୍ରିୟା ଜାରି ରଖିବା ପାଇଁ ଘଟଣା ସ୍ଥଳରେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶାନ୍ତ ସିଂ ଏବଂ ଶୁଭ୍ରାଂଶୁ ମିଶ୍ର, ଏସଡିପିଓ ମୁକ୍ତି କୁମାର କୁଲୁ, କଲମପୁର ଥାନା ଆଇଆଇସି ନୀଳାମ୍ବର ଯାନୀ, ଜୟପାଟଣା ଆଇଆଇସି ମମତା ହେମ୍ବ୍ରମ, ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କ ସମେତ ପୋଲିସ ଟିମ, ବଲାଙ୍ଗୀର ଓଡରାଫ ଟିମ୍, କଲମପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ। ଆସନ୍ତାକାଲି ମଧ୍ୟ ଶବର ମୁଣ୍ଡ ଖୋଜା ଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।