କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ବର୍ଷା ଋତୁ ଆସିଗଲାଣି ସରକାରଙ୍କ ପକ୍ଷରୁ ଡ୍ରେନ, ନାଳ ନର୍ଦ୍ଦମା ସବୁ ସଫା ସୁତୁରା କରିବା ପାଇଁ କାହିଁ କେତେ ଦିନରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇ ସାରିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ସମସ୍ତ ଡ୍ରେନ ଗୁଡ଼ିକୁ ଜୋର୍ ସୋରରେ ସଫାସୁତୁରା କାମ ଆଗେଇଛି। କିନ୍ତୁ କେସିଙ୍ଗା ୱାର୍ଡ ନଂ ୭ ଶାନ୍ତିନଗର ପଡ଼ାରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଦୀର୍ଘ ୮ ବର୍ଷ ପରେ ମଧ୍ୟ କୌଣସି ଡ୍ରେନ ଗୋଟେ ନିର୍ମାଣ ହୋଇ ନାହିଁ ବୋଲି ୱାର୍ଡ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷର ୮ ମାସ ରାସ୍ତା ଘାଟ ଠିକ ଠାକ ରହୁଥିବାବେଳେ ବର୍ଷା ୪ ମାସ ୱାର୍ଡବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ୭ ନମ୍ବର ୱାର୍ଡର ସଚେତନ ନାଗରିକ ପ୍ରଣବ ଭୋକ୍ତା ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ଏନ୍ ଟି ଏ ସି ପ୍ରଶାସନ କୁ ଅଭିଯୋଗ କରି ୱାର୍ଡ ବାସୀଙ୍କ ସମସ୍ୟା ଜଣାଇ ଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହେଉନାହିଁ ବୋଲି ପ୍ରକାଶ କରିଛନ୍ତି। ଅଦିନିଆ ବର୍ଷା ହେଉ କିମ୍ବା ବର୍ଷା ଦିନିଆ ବର୍ଷା ହେଉ ଡ୍ରେନ ନ ଥିବାରୁ ରାସ୍ତାର ଖାଲ ମାନଙ୍କରେ ଗୋଟିଏ ଦିନର ବର୍ଷା ପାଣି ମାସ ମାସ ଜମି ରହୁଛି ଫଳରେ ମଶା ମାଛି ଘରକରି ଲୋକଙ୍କୁ ହଇରାଣ କରୁଛନ୍ତି। ଯଥା ଶୀଘ୍ର ୱାର୍ଡ ନ ୭ ଶାନ୍ତିନଗରରେ ଡ୍ରେନ ନିର୍ମାଣ କରିବା ପାଇଁ ସଚେତନ ନାଗରିକ ପ୍ରଣବ ଭୋକ୍ତା ଙ୍କ ସମେତ ୱାର୍ଡ ବାସିନ୍ଦା ଦାବୀ କରିଛନ୍ତି।