ପାପଡାହାଣ୍ଡି /କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଅଦିନିଆ କାଳ ବୈଶାଖୀ ବର୍ଷା ସାଂଗକୁ କୋହଳ ପାଗ ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଶତାଧିକ ମକା ଚାଷୀ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଖରାଟିଆ ରବି ଫସଲ ଭାବେ ଅନେକ ଚାଷୀ ମକା ଚାଷ କରିଥିବା ବେଳେ ପ୍ରାୟ ଦୁଇ ସପ୍ତାହ ହେବ ମକା ଅମଳ କରି ଚାଷୀ ବିକ୍ରୟ ନିମନ୍ତେ ମକା ଶୁଖାଇ ମିଲିଂ କରି ପ୍ରସ୍ତୁତ ହେଉଥିବାବେଳେ କାଳ ବୈଶାଖୀ ବର୍ଷା ଯୋଗୁଁ ଅଧିକାଂଶ ପରିମାଣର ଅମଳ ମକା ଭିଜିଛି। ସକ୍ଷମ ଚାଷୀ ପଲିଥିନ କିଣି ବର୍ଷା ପାଣିରୁ ଅମଳ ମକାକୁ ସୁରକ୍ଷା ଦେଉଥିବା ବେଳେ ଧାର କରଜ କରି ରବି ମକା କରିଥିବା କ୍ଷୁଦ୍ର ଗରିବ ଚାଷୀଙ୍କ ମକା ଓଦା ହୋଇଛି। ଯାହା ଫଳରେ ମକାର ମାନ ଓ ଗୁଣବତ୍ତା ଏବଂ ଓଜନ ହ୍ରାସ ସହ ରଙ୍ଗ ଫିକା ହେବାର ସମ୍ଭାବନା ଦେଖାଦେଇଛି। ମେ ୩୧ ଯାଏ କାଳ ବୈଶାଖୀ ଥିବାରୁ ମକା ଚାଷୀଙ୍କୁ ଚିନ୍ତା ଦ୍ୱିଗୁଣିତ ହୋଇଛି। ବ୍ଲକର ଅଧିକାଂଶ ଚାଷୀ ରାସ୍ତା ପାଶ୍ଵ , ଜମି ଖଲା ଏବଂ ପିଣ୍ଡିରେ ପଲିଥିନ ଢାଙ୍କି ଶୁଖିଲା ପାଗ ହେଲେ ପୁଣି ପଲିଥିନ ହଟାଇ ଖରାରେ ଶୁଖାଇବା ପ୍ରକ୍ରିୟା ଜାରି ରହିଥିବା ଦେଖିବାକୁ ମିଳୁଛି। ଶହ ଶହ କ୍ଵିଣ୍ଟାଲ ମକା ପଡ଼ି ରହିଛି। ଆର୍ଥିକ ଜରୁରୀ ରହିଥିବା କିଛି ଚାଷୀ କମ ଦରରେ ବିକ୍ରୀ କରିଥିବା ମଧ୍ୟ କହିଛନ୍ତି। ଖରିଫ୍ ମକା ଅପେକ୍ଷା ଖରାଟିଆ ମକା ଚାଷରେ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ। ବ୍ଲକ ରେ ବିଶେଷ କରି ନଦୀ , ପୋଖରୀ ଝରଣା ପାଣି ଏବଂ ବୋର୍ ୱେଲ ଯୋଗେ ବିଦ୍ୟୁତ୍ ଓ ଡିଜେଲ ମୋଟର ବ୍ୟବହାର କରି ଜମିକୁ ପାଣି ଦେବା ବ୍ୟୟ ବହୁଳ ହୋଇଥାଏ ବୋଲି ଅନେକ ଚାଷୀ କହିବା ସହ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାଏ ବୋଲି କହିଛନ୍ତି। ମକା ଲାଗି କୀଟ ନାଶକ, ଘାସମରା ଔଷଧ, ଭିଟାମିନ ରାସାୟନିକ ସାର, ମକା ବିହନ ଜମି ପ୍ରସ୍ତୁତି ପ୍ରକ୍ରିୟା ଆଦି ବର୍ଷା ରୁତୁ ଚାଷ ଅପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ। ଚଳିତ କାଳ ବୈଶାଖୀ ବର୍ଷା କ୍ଷତି ଘଟାଇଛି ମକା ଚାଷୀଙ୍କୁ। ବର୍ଷାରେ ମକା ଅଦା ହୋଇଥିବା ବେଳେ ମକା ଦର ଦରଦ ଦେଇଛି ଚାଷୀଙ୍କୁ। ଜିଲ୍ଲା ରେ ମକା ମଣ୍ଡି ଖୋଲିନଥିବାରୁ କିଛି ମୁଷ୍ଟିମେୟ ବ୍ୟବସାୟୀ ମୂଲଚାଲ କରି କ୍ଵିଣ୍ଟାଲ ପ୍ରତି ଦର ୧୯୦୦ ରୁ ୨୧୦୦ ଶହ ଟଙ୍କା ଥିବାରୁ ଚାଷୀମାନେ ବିକ୍ରୟ କରିବାକୁ ନାରାଜ ଅଛନ୍ତି। ଅନ୍ୟପକ୍ଷେ ମକା ବ୍ୟବସାୟୀ ମକାର ମାନ ଦେଖି କ୍ଵିଣ୍ଟାଲ ପ୍ରତି ୨୧୦୦ ଟଙ୍କାରେ କ୍ରୟ କରୁଥିବା କହିଛନ୍ତି ଚାଷୀ। ଏକର ପ୍ରତି ରବି ମକା ଚାଷ ପାଇଁ ୨୫ ହଜାର ଟଙ୍କା ରୁ ୩୦ ହଜାର ଟଙ୍କା ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ ବୋଲି ଚାଷୀ ନିଜ ଅଭିଜ୍ଞତାରୁ କହୁଛନ୍ତି। ଖର୍ଚ୍ଚ ତୁଳନାରେ ଲାଭ ହେଉନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ମକା ରଖିଲେ କ୍ଷତି ବିକ୍ରୟ କଲେ ଖ୍ୟାତି ଦ୍ଵନ୍ଦ ଓ ଚିନ୍ତାରେ ଅଛନ୍ତି ମକା ଉତ୍ପାଦନ କରୁଥିବା ଚାଷୀ। ପାପଡାହାଣ୍ଡି ବ୍ଲକର ଚାଷୀଙ୍କ ଜୀବନ ଜୀବିକା କୃଷି ହୋଇଥିବା ବେଳେ ଧାନ ଓ ମକା ପ୍ରଧାନ ଚାଷ ଭାବେ କରିଆସୁଛନ୍ତି। ଦଶନ୍ଧି ଦଶନ୍ଧି ଧରି ଏହି ଅଞ୍ଚଳରେ ମକା ଉତ୍ପାଦନରେ ଅଗ୍ରଣୀ ରହିଥିବା ବେଳେ ଉତ୍ପାଦିତ ମକାର ମିନିମୋମ ସପୋର୍ଟ ପ୍ରାଇସ୍ ରୁ ବଞ୍ଚିତ ହୋଇ ଆସୁଛନ୍ତି ଚାଷୀ। ମକା ପ୍ରିସେସିଂ ୟୁନିଟ୍ ବସିବା ସରକାରଙ୍କ ପକ୍ଷରୁ କେବଳ ପ୍ରତିଶ୍ରୁତିର ପାହାଡ଼ ବୋଲି ପ୍ରମୁଖ ସ୍ଥାନୀୟ ମକା ଚାଷୀ କହିଛନ୍ତି। ଏଣୁ ଚାଷୀ ଙ୍କ ସ୍ବାର୍ଥ ଦୃଷ୍ଟିରୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇବା ପାଇଁ ମଣ୍ଡି ବ୍ୟବସ୍ଥା ଓ ରବି ଋତୁ ରେ ଅଦିନିଆ ବର୍ଷା ରୁ ମକା ଚାଷୀ ଙ୍କ ଅମଳ କୁ ସୁରକ୍ଷା ସ୍ଥାନ ରଖିବା ପାଇଁ ପିଣ୍ଡି ତିଆରି କରିବା ପାଇଁ ଅଞ୍ଚଳ ର ମକା ଚାଷୀ ମାନେ ଦାବି କରିଛନ୍ତି ।