ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢାର ମୃତ୍ୟୁ 

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଢଗ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଚିଲିଚିଲା ଛକ ନିକଟରେ ଗୁରୁବାର ଅପରାହ୍ନ ୪ଟା ରେ ମେଣ୍ଢା ଖାଦ୍ୟ ଅନ୍ୱେଷଣ କରୁଥିବାବେଳେ ବିଜୁ ଏକ୍ସପ୍ରେସ ୱେ ନିକଟରେ ଥିବା ଏକ ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଉକ୍ତ ମେଣ୍ଢା ଟି କେବିଡି ଗ୍ରାମର ଚାଷୀ ମୁକୁନ୍ଦ ନାଏକଙ୍କ ବୋଲି ଜଣାପଡ଼ିଛି। ମେଣ୍ଢା ବିକ୍ରି କରି ତାଙ୍କ ପରିବାରର ପେଟ ପୋଷଣ କରୁଥିଲେ ବୋଲି ମୁକୁନ୍ଦ କହିଛନ୍ତି। ସୂଚନା ମୁତାବକ ଦୀର୍ଘ ଦିନ ଧରି ଚିଲିଚିଲା ଗ୍ରାମରେ ଉକ୍ତ ମୁକୁଳା ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଥିବାବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ତାର ବାଡ଼ ଦିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମେଣ୍ଢା ର ମୃତ୍ୟୁ ବିଦ୍ୟୁତ୍ ବିଭାଗର ତ୍ରୁଟି ଯୋଗୁଁ ହୋଇଥିବାରୁ ପ୍ରଶାସନ ପକ୍ଷରୁ ମୁକୁନ୍ଦଙ୍କୁ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଘଟଣାସ୍ଥଳକୁ ପ୍ରାଣୀ ଚିକିତ୍ସାଲୟ ତରଫରୁ ଆସି ଡାକ୍ତରୀ ମଇନା କରିଥିବା ଜଣାପଡିଛି।