କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଶାନ୍ତ ସେନାପତି) : ରାୟଗଡ଼ା ସହରରେ ଚୋରଙ୍କ ପ୍ରାଦୁର୍ଭାବ ବଡି ଚାଲିଛି । ଘରେ ତାଲା ପକାଇ ଯାଉଛନ୍ତି କି ଯିବା ପୂର୍ବରୁ ସାବଧାନ ରୁହନ୍ତୁ। ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରୁଛନ୍ତି ଚୋର। ଘରେ ଥିବା ମୂଲ୍ୟବାନ ସୁନା, ରୂପ, ନଗଦ ଟଙ୍କା ତକ ଚୋରି କରି ନେଇଯିବେ ଚୋର। ରାୟଗଡ଼ା ସହରର ନିୟୁ କଲୋନୀରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣରେ ଚୋରି ହୋଇଛି। ସେ ଓ ତାଙ୍କ ମା ନିଶାମଣିଙ୍କ ସହ ଆଗ ଘରେ ରହୁଥିଲେ। ପଛ ପଟ ତାଲା ପଡି ଥିବା ଘରେ କଳାକନା ବୁଲାଇ ଚୋରି କରିଛନ୍ତି ଦୁର୍ବୁତ୍ତ। ପଛ ଘର ମୁଖ୍ୟ କବାଟରେ ଥିବା ଗେଡା କାଟି ପଶିଛନ୍ତି ଦୁର୍ବୁତ୍ତ। ଭିତରେ ଥିବା ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୧କେଜିରୁ ଉର୍ଦ୍ଧ ରୁପା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି ଦୁର୍ବୁତ୍ତ। ସକାଳୁ ପଛ ଘରକୁ ଯିବା ସମୟରେ ଘର କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ ସୁବ୍ରତ ଓ ତାଙ୍କ ମା । ଅନ୍ୟ ଜାଗାରେ ଘର କାମ ଚାଲି ଥିବାରୁ ଘର ମାଲିକ ସୁବ୍ରତ ନଗଦ ଟଙ୍କା ଘର ରଖିଥିଲେ। ସବୁତକ ଟଙ୍କା ଚୋରୀ ହୋଇଯାଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ରାୟଗଡା ଏସଡିପିଓ ଗୌରହରି ସାହୁ, ଆଇଆଇସି କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୁତ୍ତମାନେ ଘର ପଛପଟରୁ ଆସିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିବା ବେଳେ ଘର ଲାଗିଥିବା ସିସିଟିଭି ଫୁଟେଜରେ ଦୁର୍ବୁତ୍ତମାନଙ୍କ କିଛି ଦୃଶ୍ୟ କଏଦ ହୋଇଥିବା ଜଣାପଡିଛି। ସେହି ଫୁଟେଜକୁ ନେଇ ତଦନ୍ତ କରୁଛି ପୋଲିସ।