ଦେପୁର ରୁପସିଂ ମାଝୀ ହତ୍ୟା ଘଟଣା  ; ୧୩ ଦିନ ପରେ କଟା ମୁଣ୍ଡ ଉଦ୍ଧାର

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦେପୁର ଗ୍ରାମର ରୁପସିଂ ମାଝି ନିଖୋଜ ହେବାର ୧୦ଦିନ ପରେ ପୋଲିସ ମୁଣ୍ଡ ବିହୀନ ସବ ଉଦ୍ଧାର କରିଥିବାବେଳେ ଶୁକ୍ରବାର ଦିନ ସେହି ବୈଝାଲି (ବନ୍ଧ) ସାଗର ଠାରେ ରୂପସିଂର ମୁଣ୍ଡ ମିଳିଛି। ସୂଚନା ଅନୁସାରେ ଦେପୁର ଗ୍ରାମର ୬୫ ବର୍ଷୀୟ ରୂପସିଂ ମାଝୀ ଗତ ୧୮ ତାରିଖ ସନ୍ଧ୍ୟା ସମୟରୁ ନିଖୋଜ ଥିଲେ। ନିଖୋଜ ହେବା ନେଇ ପରିବାର ଲୋକେ କଲମପୁର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ  ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ଘଟଣାର କିଛି ଦିନ ପରେ ଗାଁ ନିକଟରେ ଥିବା ବୈଝାଲି (ବନ୍ଧ ) ସାଗର ଆଖପାଖରେ ରକ୍ତ ଛିଟା ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ, ପ୍ରଥମେ ପରିବାର ଲୋକେ ପଞ୍ଚାୟତ ନିକଟରେ ରୂପ ସିଂର ବସ୍ତ୍ର ଦେଖିଥିଲେ। ପରେ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ପୂନର୍ବାର ଏତଲା କଲେ, ଏତଲା ଅନୁସାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରି ଭିତରେ ଶବ ଫିଙ୍ଗା ଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କ୍ରମେ କଲମପୁର ଅଗ୍ନିଶମ ବାହିନୀ ଓ ବଲାଙ୍ଗୀର ଓଡ୍ରାଫ ଟିମକୁ ଡକାଇ ଦୁଇଦିନ ପର୍ଯ୍ୟନ୍ତ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ନିଖୋଜ ବ୍ୟକ୍ତିର ସୂରାଗ ମିଳିନଥିଲା। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ ସହିତ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲା। ଘଟଣାକୁ ଗୁରୁତର ସହ ନେଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା, ଜୁନାଗଡ଼ ଓ କଲମପୁର ପୋଲିସକୁ ନେଇ ଏକ ଟିମ ଗଠନ କରାଯାଇ ଗାଁରୁ ଫେରାର ମାରିଥିବା କିଛି ଯୁବକଙ୍କୁ ଖୋଜାଖୋଜି କରିଥିଲା। କିଛି ସୁରାଗ ପାଇ ପୋଲିସ ଦେପୁର ଗ୍ରାମର ଲିଙ୍ଗରାଜ ମାଝୀ ଏହି ଘଟଣା ରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ। ପରେ ଗୋଆ ପୋଲିସ ର ସହଯୋଗ ନେଇ ପୋଲିସ ଟିମ ଅଭିଯୁକ୍ତ ଲିଙ୍ଗରାଜକୁ ଗୋଆରୁ ଧରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ଲିଙ୍ଗରାଜ କୁ ଗାଁକୁ ଆଣି ବୁଧବାର ସକାଳୁ ଗାଁରେ ତଦନ୍ତ ଜାରି ରଖିଥିଲେ।  ଅଭିଯୁକ୍ତ ଲିଙ୍ଗରାଜ ରୂପସିଂଙ୍କୁ ମାରି ଗାଁର ବୈଝାଲି (ବନ୍ଧ) ସାଗରରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲା। ଏ ନେଇ ପୋଖରୀରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ବଲାଙ୍ଗୀର ଓଡ୍ରାଫ ଟିମଙ୍କ ଉପସ୍ଥିତରେ ଖୋଜାଖୋଜି କରିଥିଲେ। ଅଭିଯୁକ୍ତ କହିବା ଅନୁସାରେ ପୋଖରୀରୁ ମୁଣ୍ଡ ବିହନ ଶବ ଉଦ୍ଧାର କରାଯାଇଥିଲା। କିନ୍ତୁ ଅଭିଯୁକ୍ତକୁ ଯେତେ ପଚାରିଲେ ଏବଂ ଯେତେ ଖୋଜାଖୋଜି କଲେ ମଧ୍ୟ ମୁଣ୍ଡ ମିଲିନଥିଲା। ତଥାପି ମୁଣ୍ଡ ଖୋଜା ଜାରି ରହିଥିଲା। ଶୁକ୍ରବାର ଦିନ ଥାନା ଅଧିକାରୀ ନୀଳାମ୍ବର ଜାନୀ , ଓଡ୍ରାଫ ଟିମ , ଅଗ୍ନିଶମ ବାହିନୀ ଦ୍ବାରା ମୁଣ୍ଡ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇ ଥିବା ମୁଣ୍ଡକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି, ମୃତକଙ୍କ ଘର ଲୋକେ ହତ୍ୟାକାଣ୍ଡ ପଛରେ ଆଉ କିଏ କିଏ ରହିଛନ୍ତି ତାହାର ତଦନ୍ତ ସହ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି।