ଗ୍ରାମସଭାରେ ଆଗତ ପ୍ରସ୍ତାବ ମଞ୍ଜୁର ନହେବାରୁ ତାତିଲେ ସମିତି ସଭ୍ୟ 

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ଗୁରୁବାର ପଞ୍ଚାୟତ ସମିତି ବୈଠକ ଓ ବିକଶିତ ଗାଁ ବିକଶିତ ଓଡ଼ିଶା ଉପରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମସଭାରେ ଆଗତ ପ୍ରସ୍ତାବ ମଞ୍ଜୁର ନହେବାରୁ କିଛି ସମିତି ସଭ୍ୟ ଓ ସରପଞ୍ଚ କ୍ଷୋଭ ପ୍ରକାଶ କରିଥିବା ଜଣାପଡିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଭାବେ ପ୍ରମୋଦ ପ୍ରଧାନୀ, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରାରମ୍ଭରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟାମାନେ ଉପସ୍ଥିତ ରହି ନିଜ ନିଜ ପଞ୍ଚାୟତର ସମସ୍ୟା ଗୁଡିକୁ ଉପସ୍ଥାପନ କରିଥିଲେ। ୨୦୨୪/୨୫ ବର୍ଷରେ ୨ କୋଟି ୯୦ ଲକ୍ଷ୍ୟ ଅନୁଦାନ ଆସିଥିବାବେଳେ ୨୦୨୫/୨୬ ଆର୍ଥିକ ବର୍ଷରେ ମଧ୍ୟ ୨କୋଟି ୯୦ ଲକ୍ଷ୍ୟ ଟଙ୍କା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆସିଥିବା ଓ ତାର କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ସୂଚନା ଦିଆଯାଇଥିଲା। ତେବେ ଗ୍ରାମସଭାରେ ସର୍ବସମ୍ମତିକ୍ରମେ ଦିଆଯାଇଥିବା ପ୍ରସ୍ତାବ ମଞ୍ଜୁର ହୋଇ ନ ଥିବାରୁ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, କାଶୀବାହାଲ ସମିତି ସଭ୍ୟ ଗଜାନନ ନିଆଲ ଓ ସରପଞ୍ଚ ପୁଷ୍ପାଞ୍ଜଳୀ ନାଏକ କ୍ଷେଭପ୍ରକାଶ କରିଥିଲେ। ସେହିପରି ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ ଯେଉଁ କାର୍ଯ୍ୟ ନିହାତି ଆବଶ୍ୟକ ରହିଛି ତାହାକୁ ପ୍ରଥମେ ସ୍ଥାନ ଦେବାପାଇଁ କହିଥିଲେ। ଅନ୍ୟପଟେ ଗ୍ରାମସଭାରେ ପ୍ରସ୍ତାବ ହୋଇଥିବା ଯୋଜନାକୁ ପ୍ରଥମେ ଗୁରୁତ୍ଵ ଦିଆଯିବା କଥା ଏବଂ ଯେଉଁ କାମ ନିହାତି ଜରୁରୀ ତାହାକୁ ଶୀଘ୍ର ଅଗ୍ରାଧିକାର ଦେବା ପାଇଁ ବିଧାୟକ ପାଟ୍ଟଯୋଷୀ କହିଥିଲେ। ବୈଠକରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଆମପାଣି ସରପଞ୍ଚ ଋକ୍ମିଣୀ ବାଣୁଆ, ମହିମା ସରପଞ୍ଚ ଇଶରାମ କୋଲଥିଆ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ମୁଷାପାଲି ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ଡାଲଗୁମା ସମିତି ଚିନ୍ତାମଣି ଚଣ୍ଡି, କନ୍ଦାବୁଟୁରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।