ଚାଷୀଙ୍କ ଠାରୁ ବିହନ କିଣିବାରେ ବିହନ ନିଗମ ବିଫଳ : ସମାଜବାଦୀ ପାର୍ଟି ଓଡିଶା

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରିଫ ଚାଷ ପାଇଁ ଓଡିଶା ଚାଷୀଙ୍କୁ ଉନ୍ନତ ମାନର ବିହନ,ସାର ଓ କୀଟନାଶକ ଯୋଗେଇ ଦେବା ପାଇଁ ମୁଖ୍ୟମନ୍ତ୍ରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି। ଦଳର ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ’ ପାଣିପାଗ ବିଭାଗର ଖବର ଅନୁସାରେ ଏଥର ଆମ ଓଡ଼ିଶାରେ ଧାର୍ଯ୍ୟ ସମୟଠାରୁ ଆଗୁଆ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରବାହ ସହିତ ସମଗ୍ର ଚତୁର୍ମାସ୍ୟା କାଳରେ ଭଲ ବର୍ଷା ହେବ। ଇତି ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରାକ୍ ମୌସୁମି ବର୍ଷା ଆରମ୍ଭ ହୋଇଯାଇଛି ଏବଂ ଦିନେ ଦୁଇଦିନ ମଧ୍ୟରେ ମୌସୁମି ପ୍ରବେଶ କରିପାରେ। ଆଗୁଆ ମୌସୁମି ପ୍ରବାହ ଓ ଭଲ ବର୍ଷା ଚାଷୀଙ୍କ ପାଇଁ ନିଶ୍ଚୟ ଭଲ ଖବର; କାରଣ ଆମ ରାଜ୍ୟର ଅଧିକାଂଶ ଚାଷୀ ଏହି ବର୍ଷା ଉପରେ ନିର୍ଭର କରନ୍ତି । ସୁତରାଂ ଚଳିତ ବର୍ଷ ଖରିଫ ଚାଷ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଯେଉଁ ଚାଷ ଜମିରେ ଜଳସେଚନର ସୁବିଧା ନାହିଁ ସେଠାରେ ଏଥର ଚାଷବାସ ଭଲ ହେବ ବୋଲି ଆଶା କରାଯାଏ। ଖରିଫରେ ମୁଖ୍ୟ ଚାଷ ଧାନ ଯାହା ଅଧୂକାଂଶ ଚାଷୀ ଚାଷ କରିଥାନ୍ତି। ଚାଷରେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀର ଉପଯୋଗ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଚାଷୀଙ୍କୁ ଏଥିପାଇଁ ସରକାର ମଧ୍ୟ ସହାୟତା ଯୋଗାଇଥାନ୍ତି। ଏଥରର ସମସ୍ୟା ହେଲା ସବୁ ଚାଷୀଙ୍କୁ ରାଜ୍ୟ ବିହନ ନିଗମ ଆବଶ୍ୟକ ପରିମାଣର ପ୍ରମାଣିକ ବିହନ ଯୋଗାଇ ଦେଇ ନପାରେ। ରିପୋର୍ଟ ଅନୁସାରେ ବିହନ ନିଗମ ଏଥର ୩.୫ ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖୁଥୁଲା। ହେଲେ ନିଗମକୁ ବିହନ ଯୋଗାଇବାକୁ ପଞ୍ଜୀକୃତ ହୋଇଥିବା ଚାଷୀ ତାହାକୁ ଇତିମଧ୍ଯରେ ଖୋଲା ବଜାର ଅଥବା ଧାନ ସଂଗ୍ରହକାରୀ ସଂସ୍ଥାକୁ ବିକିବା ଆରମ୍ଭ କରିଦେଲେଣି। ନିଗମର ବିହନ କିଣା ବିଳମ୍ବ ଯୋଗୁଁ ଏହା ଯେ ଘଟୁଛି ସେଥ‌ିରେ ଦ୍ବିମତ ନାହିଁ। ଆହୁରି ମଧ୍ୟ ଲାଭଖୋର ବ୍ୟବସାୟୀ ଆଗୁଆ ବିହ‌ନ କିଣି ନେଇ ମହଜୁଦ ରଖିବା ସହିତ ଚାଷୀଙ୍କୁ ଚଢ଼ା ଦରରେ ବିକିବେ। ଅଭିଯୋଗ ଅନୁସାରେ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ପ୍ରାମାଣିକ ବିହନ ଉତ୍ପାଦନକାରୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦେବାରେ ବିଫଳ ହେବାରୁ ବରଗଡ଼ ଓ ସମ୍ବଲପୁର ଜିଲାର ବିହନ ଉତ୍ପାଦକମାନେ ଖୋଲା ବଜାରରେ ଏହା ବିକିବାକୁ ବାଧ୍ୟ ହୋଇଛନ୍ତି । ସେମାନେ ଏ ବାବଦରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଉଛନ୍ତି। ନିୟମ ଅନୁସାରେ ପ୍ରାମାଣିକ ବିହନ ଉତ୍ପାଦନକାରୀ ଯୋଗାଣର ୪୮ ଘଣ୍ଟା ମଧ୍ୟରେ ଇନ୍‌ପୁଟ ସହାୟତା ବିହନ ନିଗମଠାରୁ ପାଇବା କଥା। ବାସ୍ତବରେ ସେମାନଙ୍କୁ ଏହି ଅର୍ଥ ପାଇବାକୁ ପାଞ୍ଚ ଛ’ମାସ ଲାଗି ଯାଉଛି। ଚାଷୀ ନିଗମର ବିଳମ୍ବକୁ ଅପେକ୍ଷା କରିପାରିବେ ନାହିଁ। ତଥ୍ୟ ଅନୁସାରେ ନିଗମ ଏ ବର୍ଷ ଏ ଯାଏ ମାତ୍ର ୧୫ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ଖରିଫ ଋତୁ ପାଇଁ ସଂଗ୍ରହ କରିଛି। ଏହାଛଡ଼ା ନିଗମ ତାହାର ବିହନ ସଂଗ୍ରହ ପରିମାଣକୁ ଏଥର ୨.୫ ଲକ୍ଷ କୁଇଣ୍ଟାଲରେ ସୀମିତ ରଖୁବାକୁ ନିଷ୍ପରି ନେଇଥିବା ଶୁଣାଯାଉଛି। କ୍ୟାବିନେଟର ନିଷ୍ପରି ଅନୁସାରେ ସମୃଦ୍ଧ କୃଷକ ଯୋଜନାରେ ୨୦୨୪-୨୫ରୁ ତିନିବର୍ଷ ପାଇଁ ବିହନ ଉତ୍ପାଦକଙ୍କୁ ଏକ କୁଇଣ୍ଟାଲ ପ୍ରାମାଣିକ ବିହନ ପାଇଁ ମୂଲ୍ୟ ୨୯୨୧ ଉପରେ ଅତିରିକ୍ତ ୮୦୦ ଟଙ୍କାର ଇନ୍‌ପୁଟ ଖର୍ଚ୍ଚ ଦେବାକୁ ବ୍ୟବସ୍ଥା ରହିଛି।ଏ ସବୁ ବ୍ୟବସ୍ଥା ସତ୍ତ୍ବେ ଚାଷୀମାନଙ୍କଠାରୁ ବିହନ କିଣିବାକୁ ନିଗମର ଆନ୍ତରିକତା ନଥିବା ଜଣା ପଡୁଛି। ଏହି ପ୍ରକ୍ରିୟାଟି ସମ୍ପୂର୍ଣ ଭାବେ ଯୋଗାଣ ଓ ଚାହିଦା ଉପରେ ନିର୍ଭର କରେ। ଏବେ ଧାନ ବଦଳରେ ଅନେକ ଚାଷୀ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଖରିଫ ଚାଷୀଙ୍କୁ ଠିକଣା ସମୟରେ ଉଚିତ ମୂଲ୍ୟରେ ଅନ୍ୟାନ୍ୟ ଅର୍ଥକରୀ ଫସଲ ବିହନ, ସାର ଓ କୀଟନାଶକ ଯୋଗାଇବା ଆବଶ୍ୟକ। ବିହନ ଭଳି ସାର ଅଭାବ ଆମ ରାଜ୍ୟର ଏକ ବଡ଼ ସମସ୍ୟା । ତେଣୁ ରାଜ୍ୟ ସରକାର ଏବଂ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି।