ନୂତନ ଶହୀଦ ମିନାର ଲାଗି ଜମି ଚିହ୍ନଟ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଶହୀଦ ମୀନାରକୁ ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳ କରାଯିବ। ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଅଡିଟୋରିୟମ, ପାର୍କ, ଶହୀଦ ଓ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିଗୁଡିକ ଉଚ୍ଚ ସ୍ଥାନରେ ରଖାଯିବ। ଏହା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବାକୁ ପ୍ରସ୍ତାବ ରହିଥିବାରୁ ଆଜି ନୂତନ ଶହୀଦ ମୀନାର ପ୍ରତିଷ୍ଠା ପାଇଁ ଭୂମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ତିନି ଗୋଟି ସ୍ଥାନରେ ଜାଗା ଚିହ୍ନଟ କରାଯାଇଛି। ପାପଡାହାଣ୍ଡି ଉମରକୋଟ ରାସ୍ତା ର କେନ୍ଦୁଗୁଡା ପାଖରେ ଥିବା ସରକାରଙ୍କ ୨୫ ଏକର ଜମି ମଧ୍ୟରୁ ୫ ଏକର,  କୋଷାଗୁମୁଡା ରାସ୍ତାରେ ଥିବା ତଣ୍ଡାଗୁଡା ପାଖ ୯ ଏକର ସରକାରୀ ଜାଗା ରୁ ୫ ଏକର ଓ ନବରଙ୍ଗପୁର ରାସ୍ତାରେ ଥିବା ଆଦିବାସୀ ସଂଗ୍ରାହଳୟ ପାଖରେ ଥିବା ୫ ଏକର ଜାଗା କୁ ଆଜି କମିଟି ଚିହ୍ନଟ କରିଛି। ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ଏହି ଏକ କମିଟି ଅନୁଧ୍ୟାନ କରିଛି। ଏହି ସମୟରେ  କମିଟିର ଉପ ଜିଲ୍ଲାପାଳ  ପ୍ରକାଶ ମିଶ୍ର, ଶହୀଦ ସ୍ମୃତି ସଂସଦର ଅଧ୍ଯକ୍ଷ  ମୁନା ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ  ଘାସିଆ ହରିଜନ, ପାପଡାହାଣ୍ଡି ବ୍ଲକ ଉପାଧ୍ଯକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା, ତହସିଲଦାର ତପନ କୁମାର ନାୟକ, ବିଡ଼ିଓ  ଓ ରେଭେନ୍ୟୁ ଇନ୍ସପେକ୍ଟର ଉପସ୍ଥିତ ଥିଲେ।