ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୁଦେବ ଗଉଡ) : ରବି ଅମଳରେ ଚାଷୀମାନେ ମକା ଚାଷ କରିଥିଲେ। ମକା ଭାଙ୍ଗିବା ପରେ ଚାଷୀମାନେ ରଖିବା ପାଇଁ ସୁରକ୍ଷିତ ଜାଗା ନଥିବାରୁ ଆର.ଡି ବିଭାଗର ଝରିଗାଁ-ଡାବୁଗାଁ କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଧାମନାଗୁଡ଼ା, ଫଳସଗାଁ, ଫୁପଗାଁ, ପାଳିଆ ଆଦି ରାସ୍ତା ଉପରେ ହଜାର ହଜାର କୁଣ୍ଟାଲର ମକାକୁ ଚାଷୀ ଅବରୋଧ କରି ରଖିଛନ୍ତି। ଫଳରେ ଉକ୍ତ ରାସ୍ତା ଦେଇ ଗାଡ଼ିମଟର ଯାତାୟାତ ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଦେଖା ଦେଇଛି। ରବି ଅମଳ ପାଇଁ ଚାଷୀମାନଙ୍କୁ ପାଣି ସୁବିଧା ନ ଥିବାରୁ ନଦୀ ନାଳରୁ ପାଣି ଉଠେଇ ଚାଷ କରୁଛନ୍ତି। ଉତ୍ପାଦିତ ଚାଷକୁ ରଖିବା ପାଇଁ କୌଣସି ସେଡ(ପିଣ୍ଡ) ର ବ୍ୟବସ୍ଥା ନ ଥିବାରୁ ଚାଷୀ କଷ୍ଟ ଉପାର୍ଜିତ ଚାଷକୁ ବର୍ଷା ଦାଉରୁ ରକ୍ଷା କରିବାକୁ ରାସ୍ତାରେ ବାଧ୍ୟ ହୋଇ ଗଦା କରି ରଖୁଛନ୍ତି। କିଛି ଦିନର କାଳବୈଶାଖୀର ବର୍ଷାରେ କିଛି ଚାଷୀଙ୍କ ମକା ଭିଜିଯାଇ କ୍ଷୟ କ୍ଷତି ହେବାର ମଧ୍ୟ ନଜର ରଖିଛି। ସରକାର ମକା ଚାଷୀଙ୍କ ଦୁଃଖ ବୁଝି ଉତ୍ପାଦିତ ଚାଷକୁ ସୁରକ୍ଷା ଜାଗାରେ ରଖିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଯେହେତୁ ଉକ୍ତ ରାସ୍ତା ଝରିଗାଁରୁ ନବରଙ୍ଗପୁର, ଜୟପୁରକୁ ସଂଯୋଗ କରୁଥିବା ବ୍ୟସ୍ତ ବହୁତ ରାସ୍ତା ହୋଇଥିବାବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଯାନବାହାନ ଯାତାୟାତ କରିଥାଏ। ଏହିଭଳି ସ୍ଥିତିରେ ରାସ୍ତା ଉପରେ ମକା ଗଦା ଥିବାରୁ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେବାର ଆଶଙ୍କା ଦେଖା ଦେଇଛି। ଏବଂ ବାଇକ ଚାଳକମାନେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ରାସ୍ତା କୁ ଅବରୋଧ କରିବା ଏକ ଦଣ୍ଡନୀୟ ହୋଇଥିବା ବେଳେ ଚାଷୀଙ୍କ ଏପରି ମକା ଗଦାକୁ ନେଇ ଗାଡ଼ି ଚାଳକ ଓ ପଥଚାରୀ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।